ଦଳିତ ପୃଷ୍ଠଭୂମିରେ ଭାରତୀୟ ଲୋକ ସଂସ୍କୃତିର ଦାଗ : ‘ଭେଦ’ର ଆବିର୍ଭାବ
ଦଳିତ ପୃଷ୍ଠଭୂମିରେ
ଭାରତୀୟ ଲୋକ ସଂସ୍କୃତିର ଦାଗ : ‘ଭେଦ’ର
ଆବିର୍ଭାବ
---------------------------------------------------------------------------------
‘ଭେଦ’ @ଅଖିଳ ନାୟକ, ପଶ୍ଚିମା ପ୍ରକାଶନୀ, ଭୁବନେଶ୍ଵର, ବର୍ଷ-୨୦୧୪,
ମୂଲ୍ୟ- ୭୦ ଟଙ୍କା
ସମସାମୟିକ ଓଡିଆ ସାହିତ୍ୟ ଧାରାରେ ଆକ୍ଷିକ ନାୟକ ଜଣେ ଅପ୍ରତିଦ୍ଵନ୍ଦୀ ଶିଳ୍ପୀ। ପ୍ରବୁଦ୍ଧ ଭାରତୀୟ ଲୋକ ସଂସ୍କୃତିରେ ଆଧୁନିକ ମୂଲ୍ଯବୋଧ, ସାମାଜିକ ନ୍ୟାୟ ଓ ଧର୍ମୀୟ ଜାଗରଣ ପ୍ରତି ଯେଉଁ ଦୃଷ୍ଟି ଆଜି ମଧ୍ୟ ଦାଗ ଭଳି ମଣିଷର ଚେତନା ସମାଜରେ ଲାଗି ରହିଛି, ତାହାର ହିଁ ଜ୍ଵଳନ୍ତ ଚିତ୍ର ‘ଭେଦ’ (୨୦୧୦) ଉପନ୍ୟାସରେ ପ୍ରସ୍ଫୁଟିତ ହୋଇଛି। ପ୍ରଥମ ଓଡିଆ ଦଳିତ ଉପନ୍ୟାସ ରୂପେ ସ୍ବୀକୃତ ଏହି କୃତିଟି ଅପେକ୍ଷାକୃତ ସଂକ୍ଷିପ୍ତ ହୋଇଥିଲେ ମଧ୍ୟ ବୌଦ୍ଧିକ ବିମର୍ଶ ଦୃଷ୍ଟିରୁ ଏହାର ବିରାଟତ୍ଵ ବାରି ହୋଇପଡେ। ଜଗତୀକରଣ ଏବଂ ଶିକ୍ଷାର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ସମାଜରେ ଥିବା ଢାଞ୍ଚାଗତ ରୂଢି ଓ ମାନବୀୟ ବିକୃତି ବିରୁଦ୍ଧରେ ସାମାଜିକ ପ୍ରତିଷ୍ଠା ପାଇଁ ଲାଗି ରହିଥିବା ସଂଘର୍ଷ ଓ ଦଳିତ ଚେତନାରେ ଆତ୍ମବିଶ୍ବାସର ଉତ୍ଥାନ ଭଳି ପ୍ରସଙ୍ଗ ରଚନାଟିକୁ ଗବେଷଣାଧର୍ମୀ କରି ପାରିଛି।
‘ଭେଦ’ ଉପନ୍ୟାସର ନାମକରଣରୁ ହିଁ ଏହି ରଚନାର ଉଦ୍ଦେଶ୍ୟ ଅନୁମାନ କରିହୁଏ । ଜାତି ବ୍ୟବସ୍ଥାରେ ବ୍ରାହ୍ମଣବାଦୀ ମାନସିକତାର ମୂଳ ଗ୍ରନ୍ଥିକୁ ଲକ୍ଷ୍ୟ ବିଦ୍ଧ କରିବା ଓ ରହସ୍ୟାମୂଳକ ଭାବରେ ଭିନ୍ନ-ଭିନ୍ନ କରି ଆମ ଲୋକ ସଂସ୍କୃତିରେ ଥିବା ବିଭେଦତାକୁ ପଦାରେ ପକାଇବା ହିଁ ଏହି ଉପନ୍ୟାସର ମୂଳ ଆବେଦନ ଅଟେ । ସମୁଦାୟ ସାତୋଟି ମୁଖ୍ୟ ଚରିତ୍ର ଯଥା – ୧. ଦିନା ମାଷ୍ତ୍ରେ , ୨.ବାୟା ଓକିଲ, ୩. ଲଲ୍ଟୁ , ୪. ସେମି ସେଠ୍, ୫. ମୁନା, ୬. ମାଷ୍ଟ୍ରାଣୀ, ଏବଂ ୭. ସନ୍ତୋଷ ପଣ୍ଡାଙ୍କ ନାମାନୁସାରେ ଥିବା ସାତୋଟି ପର୍ଯ୍ୟାୟରେ ଗଢି ଉଠିଛି ଉପନ୍ୟାସର କଳେବର । ପ୍ରତ୍ଯେକ ପର୍ଯ୍ୟାୟରେ ସମସାମୟିକ ସମାଜରେ ଥିବା ବିଭିନ୍ନତା, କଠୋର ଜାତି ବ୍ୟବସ୍ଥାର ଅମାନୁଷିକତା ଓ ପରିବର୍ତ୍ତନୀୟ ବ୍ୟକ୍ତି ସତ୍ତାର ଛାୟା ସଂକେତ ଅନୁଭବ କରିହୁଏ।
ଉପନ୍ୟାସଟିକୁ ରୂପ ଦେଲାବେଳେ ଲେଖକ ଚରିତ୍ର ଏବଂ ପ୍ରସଙ୍ଗ ଅନୁସାରେ ସାହସିକତାର ସହ ଉପଯୁକ୍ତ ଭାଷାର ପ୍ରୟୋଗ କରିଛନ୍ତି । ଜାତି, ଧର୍ମ ଓ ବର୍ଣ୍ଣାଦିକୁ ନେଇ ଯେଉଁ ପ୍ରଶାନ ସବୁ ସେ ଲଲ୍ଟୁ ଆଦି ଚରିତ୍ରଙ୍କ ମାଧ୍ୟମରେ ଉଠାଇଛନ୍ତି, ତାହା ନିଶ୍ଚିତ ବିଚାରଣୀୟ । ନଷ୍ଟାଲିଜିଆ ଭିତରେ ଥିବା ସାମାଜିକ ସତ୍ୟତାର ଗଣ୍ଠିକୁ ଖୋଲିବା ଏବଂ ଗ୍ରାମ୍ୟ ଜୀବନର ରାଜନୀତିକୁ ଭାରତୀୟ ସଂସ୍କୃତି ମଧ୍ୟରେ ଏକୀକୃତ କରି ସତ୍ୟା-ସତ୍ୟ ଅନୁସନ୍ଧାନ ଦିଗରେ ଏ ଉପନ୍ୟାସ ନିଶ୍ଚିତ ପଠନଧର୍ମୀ।
Comments
Post a Comment