ପିତୃସତ୍ତାର ହୁଙ୍କାର ମଧ୍ୟରେ ସମକାଳୀନ ନାରୀ ସ୍ଵର : ଅପର୍ଣ୍ଣା ମହାନ୍ତିଙ୍କ ଜୋରଦାର ପ୍ରତ୍ୟୁତ୍ତର
ପିତୃସତ୍ତାର ହୁଙ୍କାର ମଧ୍ୟରେ ସମକାଳୀନ ନାରୀ ସ୍ଵର : ଅପର୍ଣ୍ଣା ମହାନ୍ତିଙ୍କ ଜୋରଦାର
ପ୍ରତ୍ୟୁତ୍ତର
କବିତା ସମୟର ସାର୍ଥକ ଅଭିବ୍ୟକ୍ତି। କେତେବେଳେ ଆମ
ଆଗରେ, ତ’ କେତେବେଳେ ଆମ ପଛରେ, ଆଉ ବେଳେବେଳେ ଆମ ସାଥିରେ ତା’ର ଉପସ୍ଥିତି। ସାର୍ଥକ କବିତାର ମାନବୀୟ ମନ ସଂବେଦନାର
ଅନ୍ତଃକରଣକୁ ଭେଦ କରି, କୌଣସି ବାଦ
କିମ୍ବା ଆନ୍ଦୋଳନରେ ସୀମାବଦ୍ଧ ନରହି ଗୋଟିଏ ବୃହତ୍ତର ଜୀବନ ଜିଜ୍ଞାସାକୁ ଆଲିଙ୍ଗନ କରେ। ଏହାର
କାରଣ କବିତାର ଆଭ୍ୟନ୍ତର ଜଗତ ଅତ୍ୟନ୍ତ ବ୍ୟାପକ ଏବଂ ପରିପୃଷ୍ଟ ହୋଇଥାଏ। ପ୍ରତ୍ୟେକ ଭାରତୀୟ
ଭାଷାରେ ରଚିତ ସାହିତ୍ୟର ନିଜସ୍ୱ ସ୍ଵତନ୍ତ୍ର ବୈଶିଷ୍ଟ୍ୟ ରହିଛି। ଓଡ଼ିଆ କାବ୍ୟ ସାହିତ୍ୟର
ଇତିହାସରେ ସମକାଳୀନ ଅଥବା ବର୍ତ୍ତମାନ ପ୍ରେକ୍ଷାପଟ୍ଟରେ ଲେଖାଯାଉଥିବା କବିତା କାଳଖଣ୍ଡର ସାର୍ଥକ
ସ୍ଵାକ୍ଷର ରହିଛି। ‘ସମକାଳୀନତା’କୁ ଏକ ପ୍ରକାରର ସମୟ ସାପେକ୍ଷ ଅବଧାରଣା
ରୂପରେ ଗ୍ରହଣ କରାଯାଇପାରେ। ଏ ପରିପ୍ରେକ୍ଷୀରେ ସମକାଳୀନ ଓଡ଼ିଆ କବିତା ନିଜ ଭୂଖଣ୍ଡର ତତ୍କାଳୀନ
ସାମାଜିକ, ଆର୍ଥିକ, ରାଜନୈତିକ ପରିସ୍ଥିତିଗୁଡ଼ିକ ଦ୍ଵାରା
ନିଶ୍ଚିତ ରୂପେ ପ୍ରଭାବିତ।
ସାଧାରଣତଃ
ଦେଖିବାକୁ ଗଲେ ୧୯୭୦ ମସିହା ପର ଠାରୁ ସମକାଳୀନ ଓଡ଼ିଆ କବିତାର ପୃଷ୍ଠଭୂମି ଆରମ୍ଭ ହେବା ଲକ୍ଷ୍ୟ
କରାଯାଇପାରେ। ସମକାଳୀନ ଓଡ଼ିଆ କବିମାନେ ପ୍ରାୟତଃ ତାଙ୍କ କବିତାରେ ତତ୍କାଳୀନ ମନୁଷ୍ୟର ମାଟିମୋହ
ଏବଂ ସ୍ଵପ୍ନଭଙ୍ଗକୁ ଅତି ସୂକ୍ଷ୍ମ ରୂପରେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି। ସମକାଳୀନ
କବିତାର ସୀମାଙ୍କନ ସମ୍ପର୍କରେ କବି ଅପର୍ଣ୍ଣା ମହାନ୍ତି କୁହନ୍ତି – “୧୯୮୦ ମସିହା ପରବର୍ତ୍ତୀ
ସମୟରୁ ରଚିତ କାବ୍ୟଧାରାକୁ ସମକାଳୀନ ଓଡ଼ିଆ କବିତା ଭାବରେ ଗ୍ରହଣ କରାଯାଇପାରେ।” ବାସ୍ତବରେ କହିବାକୁ ଗଲେ ସମକାଳର କବିତା ବ୍ୟକ୍ତିବାଦୀ ଅସ୍ମିତାକୁ
ଆମ ସହ ପରିଚୟ କରାଇ ଏହା ଆମ ଅନୁଭବର ସଂସାରକୁ ବୃହତ୍ତର ସମାଜ ସହ ଯୋଡ଼ି ପାରିଛି। ରମାକାନ୍ତ ରଥ, ପ୍ରତିଭା ଶତପଥୀ, ଶକୁନ୍ତଳା ଦେବୀ, ହରପ୍ରସାଦ ପରିଚ୍ଛା, ସୌଭାଗ୍ୟ ମିଶ୍ର, ସୌରୀନ୍ଦ୍ର ବାରିକ, ଦୀପକ ମିଶ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ସୀତାକାନ୍ତ ମହାପାତ୍ର, ବ୍ରହ୍ମୋତ୍ରୀ ମହାନ୍ତି, ଅପର୍ଣ୍ଣା ମହାନ୍ତି, ଶତ୍ରୁଘ୍ନ ପାଣ୍ଡବ, ଫନି ମହାନ୍ତି, ସୁନନ୍ଦା ପ୍ରଧାନ ଆଦିଙ୍କ କବିତା
ସମକାଳୀନ କବିତାର ପୃଷ୍ଠଭୂମିକୁ ସୁଦୃଢ କରିପାରିଛି।
ଲକ୍ଷ୍ୟ କରାଯାଇପାରେ ପ୍ରାୟତଃ ୧୯୯୦ ମସିହା ପରେ
ବିଧିବଦ୍ଧ ଭାବରେ ସମକାଳୀନ ଓଡ଼ିଆ କବିତାରେ ନାରୀ ସ୍ଵର ସମୁଜ୍ଵଳ ରୂପେ ପ୍ରକାଶ ପାଇଲା। ମୁଖ୍ୟତଃ
ନାରୀ କବିଙ୍କ ରଚନାରେ ସେମାନଙ୍କ ଅସ୍ମିତା ଅନ୍ଵେଷଣ ବାରି ହୋଇ ପଡିଲା। ପ୍ରାଚୀନ ରୁଢିବାଦୀ
ମାନସିକତା ଏବଂ ପୁରୁଷତାନ୍ତ୍ରିକ ସମାଜର ହୀନ ଚକ୍ରାନ୍ତ ବିରୋଧରେ ତାଙ୍କ ଲେଖନୀ ବିଦ୍ରୋହର
ବହ୍ନିକୁ ପ୍ରଜ୍ଵଳିତ କଲା। ବାସ୍ତବରେ କହିବାକୁ ଗଲେ ଏହି ସମୟରୁ ଓଡ଼ିଆ ନାରୀ କବିତାର
ବିମର୍ଶମୂଳକ ମହାର୍ଘ ପରମ୍ପରା ଆରମ୍ଭ ହେଲା। ଏ ସମୟର ପ୍ରମୁଖ ନାରୀ କବିଙ୍କ ମଧ୍ୟରୁ ବ୍ରହ୍ମୋତ୍ରୀ
ମହାନ୍ତି, ମନୋରମା
ବିଶ୍ଵାଳ ମହାପାତ୍ର, ଅପର୍ଣ୍ଣା
ମହାନ୍ତି, ସୁଚେତା
ମିଶ୍ର, ସୌଦାମିନୀ
ନନ୍ଦ, ମମତା ଦାସ, ରଞ୍ଜିତା ନାୟକ, ସୁପ୍ରଭା ମିଶ୍ର, ସୁନୀତି ମୁଣ୍ଡ, ଶକୁନ୍ତଳା ଦେବୀ, ଗିରିବାଳା ମହାନ୍ତି, ପ୍ରବାସିନୀ ମହାକୁଡ଼, ସୁନନ୍ଦା ପ୍ରଧାନ, ପ୍ରୀତିଧାରା ସାମଲ ଆଦି ଅନ୍ୟତମ। ଏମାନଙ୍କ
କବିତାରେ ନାରୀ ମୁକ୍ତି, ସମାନତା, ଅଧିକାର, ମାନବୀୟତା, ଦାସତ୍ଵ ଆଦି ବିଷୟରେ ବିଶଦ ଚର୍ଚ୍ଚା କରୁଥିବା
ନାରୀ ନିଜର ଆତ୍ମନିର୍ଭରଶୀଳତା ଏବଂ ଆତ୍ମବିଶ୍ଵାସ ଉପରେ ଦୃଢୋକ୍ତି ପ୍ରକାଶ କରୁଥିବା ସ୍ପଷ୍ଟ
ଲକ୍ଷ୍ୟ କରାଯାଇପାରେ।
ନିଜ କୋମଳ
ଭାବନାର ବିବେକସମ୍ପନ୍ନ ତଥା ସଂବେଦନଶୀଳତାର କଳାତ୍ମକ ସ୍ଫୁରଣ ଅପର୍ଣ୍ଣା ମହାନ୍ତିଙ୍କ କବିତାର
ମୌଳିକ ପରିସ୍ଫୁଟନ, ଯାହା
ତାଙ୍କୁ ଅନ୍ୟ କବିଙ୍କଠାରୁ ସ୍ଵତଃ ପୃଥକ କରିନିଏ। ସମକାଳୀନ ନାରୀ ବିମର୍ଶର ଏହି ବିସଙ୍ଗତିମୂଳକ
ସମାଜରେ ନାରୀର ସଂଘର୍ଷ ଏବଂ ଅଧିକାର ସମ୍ବନ୍ଧୀୟ କାବ୍ୟାଙ୍କନ ଭିନ୍ନ-ଭିନ୍ନ ରୂପରେ ହେଉଥିଲେ
ମଧ୍ୟ ଅପର୍ଣ୍ଣା ମହାନ୍ତିଙ୍କ କାବ୍ୟସ୍ଵର ଦୁଃଖ ଆଉ କରୁଣାର କୋହ ଭେଦ କରି ପାଦେ-ପାଦେ
ଆଗକୁ-ଆଗକୁ ବଢି ଚାଲିଛି। ସମାଜର ଅବହେଳିତ ତଥା ଶୋଷିତ ଜୀବନର ଦୁଃଖ ସହ ଗୋଟିଏ ନାରୀର ଦୁଃଖକୁ
ସମାନ୍ତର ଭାବେ ଦେଖି, ଦେଖାଇବାର
ପ୍ରୟାସ ତାଙ୍କ କବିତାର ସୂକ୍ଷ୍ମ କାରୁକାର୍ଯ୍ୟ । ସମକାଳୀନ ଓଡ଼ିଆ କବିତାରେ ଏମିତି ହିଁ
କେତେଜଣ ଉଲ୍ଲେଖନୀୟ କବି ଅଛନ୍ତି ଯେଉଁମାନେ ନିଜ ସମାଜର ବେଦନା ମିଶ୍ରିତ ସଂଘର୍ଷକୁ କେବଳ
ଦେଖି-ପରଖି ନୁହେଁ, ବରଂ ନିଜ ଅନ୍ତଃକୋଣରେ
ତାକୁ ଆତ୍ମସାତ କରି ଲେଖନୀ ମୂନକୁ ସ୍ପର୍ଶ କରାନ୍ତି, ସେମାନଙ୍କ ମଧ୍ୟରୁ ଅପର୍ଣ୍ଣା ମହାନ୍ତି
ନିଜର ସ୍ଵତନ୍ତ୍ର ପରିଚୟ ରଖନ୍ତି। ୧୯୯୧ ମସିହାରେ ପ୍ରକାଶ ପାଏ ତାଙ୍କର
ପ୍ରଥମ କବିତା ସଂକଳନ ‘ଅବ୍ୟକ୍ତ ଆତ୍ମୀୟତା’। ବାସ୍ତବରେ ଏହା କେବଳ ଗୋଟିଏ ନାରୀର ଅବ୍ୟକ୍ତ ଉଚାରଣ ନୁହେଁ, ବରଂ ପିତୃସତ୍ତା ବିରୋଧରେ ସୃଷ୍ଟ
ବିଦ୍ରୋହରୂପୀ କାବ୍ୟିକ ପୃଷ୍ଠଭୂମି। ମିଥ, ଚିତ୍ରକଳ୍ପ ଆଦିର ସୁନ୍ଦର ପ୍ରୟୋଗ ମାଧ୍ୟମରେ ପ୍ରେମ ଏବଂ ବିଦ୍ରୋହର
ଅଦ୍ଭୁତ ସାମଞ୍ଜସ୍ୟ, ସଙ୍କଳନଟିକୁ
ନ୍ୟାୟ ଦେଇ ପାରିଛି। ‘ମୁକ୍ତି’ କବିତାରେ ତାଙ୍କର ଏହି ସ୍ଵର ସ୍ପଷ୍ଟ।
ସେ ଲେଖନ୍ତି- “ହାତ ଛାଡ଼ / ପ୍ରେମର… / ଆତ୍ମୀୟତାର / ଏ ଅଭିନୟ ଥାଉ, / ମତେ ଏଥର ସିଧା ହୋଇ ଚାଲିବାକୁ ଦିଅ
/ ଖୁବ ଦେହସୁଆ / ଅତି ପରିଚିତ ମୋର / ଏଇ ନିବିଡ ଅନ୍ଧାର।” କବିତା କେବଳ ପ୍ରେମ, ବିଦ୍ରୋହ କିମ୍ବା ଆତ୍ମୀୟତାର କଥା
କହୁନାହିଁ; ଗୋଟିଏ
ନାରୀ ନିଜର ଅସ୍ତିତ୍ଵବୋଧକୁ ନିର୍ଦ୍ଦ୍ଵନ୍ଦରେ ଜାହିର କରୁଛି। ନାରୀ ବିମର୍ଶର ପ୍ରଥମ ସର୍ତ୍ତ
ଅନୁସାରେ ଗୋଟିଏ ନାରୀ ବ୍ୟକ୍ତି/ମାନବୀ ରୂପରେ ନିଜ ଅସ୍ମିତାକୁ ଚିହ୍ନିବା ଏବଂ ନାରୀତ୍ଵବୋଧର
ସଜ୍ଞାକୁ ହୃଦବୋଧ କରିବା ହିଁ ଧେୟ; ଅପର୍ଣ୍ଣାଙ୍କ କବିତାରେ ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ। ଇତିମଧ୍ୟରେ ‘ମୁଁ’ କବିତାରେ ତାଙ୍କ ନିର୍ଭୀକ ଶାଣିତ ସ୍ଵର
ଶୁଭେ-
“ଇତିହାସ
ଆରମ୍ଭ କାଳରୁ / ପଦ ଆଉ ପ୍ରତିଷ୍ଠାର
ଶାଙ୍କୋଳିରେ
ବନ୍ଧା / ମାଂସଲୋଭୀ ଅଧିକାଂଶ
ଶ୍ଵାନ
ଆଉ ଶାର୍ଦୁଳଙ୍କୁ / ପୁରୁଷ ବୋଲି ଯା’ ମତେ
କରିବାକୁ
ହୋଇଛି ସ୍ଵୀକାର / ଧିକକାର ଧିକକାର-” (ଅବ୍ୟକ୍ତ ଆତ୍ମୀୟତା)
ଅପର୍ଣ୍ଣା ମହାନ୍ତିଙ୍କ କବିତାରେ ଗୋଟିଏ
ପ୍ରଶ୍ନାତୁର ନାରୀ ଲୁଚି ରହିଛି। ବାରମ୍ବାର ସେ ନିଜକୁ, ସମାଜକୁ, ସମାଜ-ବ୍ୟବସ୍ଥାକୁ ପ୍ରଶ୍ନ ପରେ
ପ୍ରଶ୍ନ ପଚାରି ଚାଲିଛି। ମୁକ୍ତିର, ଯୌନ କୁଣ୍ଠାର,
ପିତୃସତ୍ତାର ପ୍ରଶ୍ନ ସବୁ ତାଙ୍କ କବିତାକୁ ଦେଇଛି ବିଶ୍ଵ ଦୃଷ୍ଟି। ବିଦ୍ରୋହିଣୀ ନାରୀର
ମୌନଭଙ୍ଗ ହିଁ କବିତାକୁ ସମକାଳୀନ ହେବାର ଗୌରବ ଦେଇଛି। ଗୋଟିଏ ନାରୀର ଶାରୀରିକ ଏବଂ ମନସ୍ତାତ୍ତ୍ଵିକ
ସମସ୍ୟା, ଯେପରିକି
ପ୍ରେମ, ବୈବାହିକ
ଦାମ୍ପତ୍ୟ, ଗର୍ଭ-ଧାରଣର
ଅନୁଭୂତି ଆଦି ସହ କବିତା ସମାନ୍ତର ଭାବେ ଗତି କରି ଚାଲିଛି। ସମାଜ ଶୃଙ୍ଖଳାର ବେଡ଼ି ଭିତରୁ ଗୋଟିଏ ନାରୀ ମୁକ୍ତ ହେବାକୁ ଚାହେଁ। ଘରର ଚାରି କାନ୍ଥ
ଭିତରେ ସେ ସୀମାବଦ୍ଧ ହେବାକୁ ଚାହେଁନା। ସଂପୂର୍ଣ୍ଣ ଆତ୍ମବିଶ୍ଵାସ ସହ ‘ଅସତ୍ୟ ମଣିଷ’ କବିତାରେ କବି ଲେଖନ୍ତି-
“କେତେ
ନା କେତେ ଛଳନା / ଲୁଚାଇ ରଖି ଫମ୍ପା ଘରଟିରେ
ମୁଁ
ବି ଚାଲି ପାରିବି / ଛାତି ଫୁଲେଇ, ସେଇ ସୁଅରେ
ଯେଉଁ
ସୁଅରେ, ଓର ଉଣ୍ଡି
/ ପରସ୍ପରକୁ କାଦୁଅ ଫିଙ୍ଗନ୍ତି
ଅସଂଖ୍ୟ
ଚରିତ୍ରବାନ (?) / ଅସତ୍ୟ
ମଣିଷ।” (ମା’ର କାନ୍ଦଣା
ଗୀତ) ନାରୀବାଦର ଆଶ୍ଳେଷରେ ବାଳିକା ବିମର୍ଶର
ପ୍ରଶ୍ନ ଯେତେବେଳେ ମନକୁ ଆସେ, ଅପର୍ଣ୍ଣା ମହାନ୍ତିଙ୍କ କବିତା ଆପଣା ଛାଏଁ ମନେପଡିଯାଏ। ବର୍ତ୍ତମାନର ସମାଜରେ ଯଦି କିଏ
ସବୁଠୁ ଅଧିକ ଚାପଗ୍ରସ୍ତ ରହୁଛନ୍ତି, ସେମାନେ ହେଲେ ବାଳିକା ବା କିଶୋରୀ। ବାରମ୍ବାର ସମାଜରେ ନାବାଳିକା ମାନେ ଯୌନ ହିଂସାର
ଶିକାର ହେଉଛନ୍ତି। ତାଙ୍କର ଦେହ ଆଉ ମନ ସମ୍ବନ୍ଧୀୟ କୁଣ୍ଠାଭିବ୍ୟକ୍ତି କୁ ବ୍ୟକ୍ତ କଲାବେଳେ
କବି ନିଜର ଶବ୍ଦ ଶକ୍ତିର ପରିଚୟ ଦେଇଛନ୍ତି। ‘ଝିଅ ପାଇଁ ଝର୍କାଟିଏ’, ‘ମା’ର କାନ୍ଦଣା ଗୀତ’, ‘ନିଃସଙ୍ଗ ଈଶ୍ଵରୀ ଓ ଅନ୍ୟାନ୍ୟ କବିତା’, ‘ଏବେ ମୁଁ ପ୍ରେମରେ’ ଆଦିରେ ଏହା ସ୍ପଷ୍ଟ ବାରିହୋଇ ପଡେ।
ବର୍ତ୍ତମାନର
ସମାଜରେ ବଳାତ୍କାର ସମସ୍ୟା ଉତ୍କଟ ରୂପ ନେବାକୁ ବସିଲାଣି। ମହାତ୍ମା ଗାନ୍ଧୀଙ୍କ ରାମ ରାଜ୍ୟ
ଏବେ ସ୍ଵପ୍ନରେ। ନିର୍ଭୟା, ବେବିନା, ଆସିଫା, ପ୍ରିୟଙ୍କା ଭଳି ନିରୀହ ବାଳିକାଙ୍କ ସହ
ଅମାନୁଷିକ ଅତ୍ୟାଚାର ଏକ ପଙ୍ଗୁ ସମାଜବ୍ୟବସ୍ଥାକୁ ଇଙ୍ଗିତ କରେ। ଅପର୍ଣ୍ଣାଙ୍କ କବିତା ଏଭଳି
ସମାଜର ବାସ୍ତବତା ବିରୁଦ୍ଧରେ ତୀବ୍ର ପ୍ରତିବାଦ କରେ। ‘ଆଜି ଶ୍ରୀରାମ ରାଜ୍ୟରେ’ କବିତା ମାଧ୍ୟମରେ କବି କୁହନ୍ତି –
“ଆଜି
ଶ୍ରୀରାମ ରାଜ୍ୟରେ… / ନିରୀହ ବାଳିକାଙ୍କ
କଁଅଳ
ଦେହ / ଗଛଡାଳରେ ଝୁଲେ / ସାମୂହିକ ବଳାତ୍କାର
ପରେ”
ପୁଣି ଲେଖନ୍ତି - “ହେଲେ
ଦେଖ ତ / ଛେଳି-କୁକୁଡାଙ୍କର /କଟା ମାଂସଠାରୁ ବଳି
କି
ଶସ୍ତା – ସୁଆଦିଆ / ନାରୀର ରକ୍ତମାଂସ !
କି
ମନ ମତାଣିଆ / ତା ଧର୍ଷଣ ଓ ହତ୍ୟା ବେଳର
ଆର୍ତ୍ତନାଦ!!
/ ଆଜି ଶ୍ରୀରାମ ରାଜ୍ୟରେ !!” (ଅଗ୍ନି କମଳିନୀ)
‘ନଷ୍ଟନାରୀ’, ‘ଝିଅ ପାଇଁ ଝର୍କାଟିଏ’, ‘ଅଗ୍ନି କମଳିନୀ’ ତଥା ‘ଅତିଥି’ ଆଦି ସଙ୍କଳନର କବିତା ସବୁ ଅପର୍ଣ୍ଣାଙ୍କ
ଗୁଣାତ୍ମକ ବିକାଶକୁ ସୂଚିତ କରେ। ମାନବୀୟ ଜୀବନର ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷରତା ନାରୀର
ସଂବେଦନଶୀଳ ପ୍ରସଙ୍ଗସବୁକୁ ପାଠକ ଯେତେବେଳେ ପଢେ, ତଥାକଥିତ ବୁଦ୍ଧିଜୀବୀ ବର୍ଗ ସହ ତା’ର ସାକ୍ଷାତ୍କାର ହୁଏ। ପୁରୁଷପ୍ରଧାନ
ସମାଜ ବ୍ୟବସ୍ଥା ବିରୋଧରେ ସ୍ଵତଃ ମନରେ ପ୍ରଶ୍ନ ଉଙ୍କି ମାରେ। ‘ଯିବାକୁ ଦିଅ’ କବିତାରେ ଅପର୍ଣ୍ଣା ନିଜ ଅଭିଳାଷକୁ
କବିତାରେ ସ୍ପଷ୍ଟ ଭାବରେ କହିଛନ୍ତି – “ଏଥର ଯିବାକୁ ଦିଅ / ମତେ ଗଢିବାକୁ ହେବ / ବିଦୁଷୀ
କନ୍ୟା ମାନଙ୍କ ଗାଁ / ଇଚ୍ଛାମତୀ ଜାୟାଙ୍କର ଦେଶ / ଓ ମନସ୍ଵିନୀ / ଜନନୀଗଣଙ୍କର ପୃଥିବୀ।” (ଝିଅ
ପାଇଁ ଝର୍କାଟିଏ) କବିତାର ଏହି ପ୍ରଥମ ପଂକ୍ତି ହିଁ ସମଗ୍ର କବିତାକୁ ଆତ୍ମସାତ କରିଛି। ‘ଏଥର ଯିବାକୁ ଦିଅ’ କହି ସେ ପିତୃସତ୍ତାର ଯେଉଁ କଳଙ୍କିତ
ମୁଖା ଖୋଲିଛନ୍ତି, ତାହା
ଅତ୍ୟନ୍ତ ପ୍ରଶଂସନୀୟ।
ଅପର୍ଣ୍ଣା
ନିଜ ସମାଜର ବାସ୍ତବତାକୁ ଠିକ ଭାବେ ବୁଝିଛନ୍ତି। ଯେତେବେଳେ ତାଙ୍କ କବିତା ସାମାଜିକ
ଅନ୍ତଃସ୍ଵରର ନିକଟବର୍ତ୍ତୀ ହେଉଛି, ଭାଷାର ଗତିପଥ ବଦଳି ଯାଉଛି। ମୁକ୍ତି ସଂଘର୍ଷର ସବୁ ସୂତ୍ର ସେଥିରେ
ଯୋଡିହୋଇ ଚାଲିଛି। ଗୋଟିଏ ପୂର୍ଣ୍ଣ ସଂଘର୍ଷର ବାସ୍ତବ ତଥା ପ୍ରାସଙ୍ଗିକ ବୋଧଗମ୍ୟର ଚିତ୍ର ସବୁ
ଆଖି ଆଗରେ ଦୃଶମାନ ହେବାରେ ଲାଗିଛି। କହିବାକୁ ଗଲେ କବି ମହାନ୍ତିଙ୍କ ନାରୀ-ମୁକ୍ତିର ଆଧାର
ଅତ୍ୟନ୍ତ ବ୍ୟାପକ ଏବଂ ଯୁକ୍ତିସାପେକ୍ଷ। ସମଗ୍ରତାରେ ଦେଖିଲେ ତାଙ୍କ କବିତାର ନାରୀମୁକ୍ତି
ଚେତନା, ମାନବୀୟ
ମୁକ୍ତି ସଂଘର୍ଷ ସହ ଏକାକାର ହୋଇଯାଇଛି। ‘କବିତା କମଳ’ କବିତାରେ ସେ ଲେଖନ୍ତି- “ସେ ପୁଷ୍ପର / ଆତ୍ମା-ସ୍ୱାକ୍ଷରିତ / ଶୁଭ୍ର, ସୁଗନ୍ଧିତ / ପାଖୁଡାଗୁଡ଼ିକୁ / କାଳ
କାଳ / ଅଗ୍ନିବର୍ଷଣ ପରେ ବି / କେହି ପୋଡ଼ି ପାରିବେ ନାହିଁ।”(ଏବେ ମୁଁ ପ୍ରେମରେ) ପୁଷ୍ପର
ପ୍ରତୀକାତ୍ମକତା କବିତାର ପୃଷଭୂମିକୁ ଅନେକ ଦୃଷ୍ଟିରେ ଦେଖିବାକୁ ବାଧ୍ୟ କରୁଛି। ବିଦ୍ରୋହ
ଚେତନା ସହ ପ୍ରକୃତି-ବିନ୍ୟାସର ସଫଳ ପ୍ରୟୋଗ କବିଙ୍କ ଗଭୀର ଅନୁଭୂତିର ପ୍ରମାଣ ଦିଏ। ଗଙ୍ଗଶିଉଳି, ଚମ୍ପା, ମଲ୍ଲୀ ଫୁଲ ସାଙ୍ଗକୁ ବଣି, ଗୁଣ୍ଡୁଚି, କୋଇଲି ଆଦି ପକ୍ଷୀଙ୍କ ମେଳରେ
ପୁଂସବାଦୀ ମାନସିକତା ବିରୋଧରେ ତାଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ ଅନ୍ୟତ୍ର କ୍ଵଚିତ ଦୃଷ୍ଟିଗୋଚର
ହୁଏ।
‘ଯୋଗିନୀ ଗୀତ’ ଅପର୍ଣ୍ଣା ମହାନ୍ତିଙ୍କ ଅନୁଭୂତିର
ଶ୍ରେଷ୍ଠ ସମ୍ଭାର। ପ୍ରେମ, ବିଦ୍ରୋହ ଏବଂ ଅଭିନବ ଅଭିବ୍ୟକ୍ତିର କଳା-କୌଶଳ କବିତାର ଭାବାତ୍ମକ ଉତ୍ସକୁ ରସସିକ୍ତ
କରିଛି। ସଙ୍କଳନର ପ୍ରଥମ କବିତାରେ ସେ “ଜନନୀ, / ଭଗିନୀ, / ଜାୟା, / ସବୁ ଅଂଶ, / କେବଳ ଭଗ୍ନାଂଶ” କହି ବର୍ତ୍ତମାନ
ସମାଜରେ ଥିବା ଜଣେ ନାରୀର ବାସ୍ତବିକ ସ୍ଥିତିକୁ ସର୍ବ ସମ୍ମୁଖରେ ପ୍ରସ୍ତୁତ କରିଛନ୍ତି। କବିଙ୍କ
ଭାଷାରେ– “ଦେହକୁ ଉପେକ୍ଷା କରି, ନାରୀକୁ ନରକର ଦ୍ଵାର କହି କୃଚ୍ଛ ସାଧନା – ସାଧକକୁ ପଦେ ପଦେ ସ୍ଖଳନର ଭୟରେ ଆକ୍ରାନ୍ତ
କରେ। ଇଶ୍ଵରପ୍ରାପ୍ତିର ଏହା ଏକ ପୁରୁଷତାନ୍ତ୍ରିକ ପ୍ରକ୍ରିୟା ଯେଉଁଠି ନାରୀର ସ୍ଥିତିକୁ
ମୋକ୍ଷର ପରିପନ୍ଥୀ ଭାବରେ ବିଚାର କରାଯାଏ। କିନ୍ତୁ ନାରୀର ସଖ୍ୟ ଓ ମାର୍ଗଦର୍ଶନ ଯେ ସମସ୍ତ
ବିକାରକୁ ଅତିକ୍ରମ କରି ସାଧକକୁ ବ୍ରହ୍ମଲୀନ ହେବାର ସହଜ ଆନଦକୁ ଭୋଗ କରାଇଥାଏ, ତନ୍ତ୍ର ଏହା ଦୃଢ ଭାବରେ ପ୍ରତିପାଦିତ
କରେ।” ସାଧନାର ସିଦ୍ଧାବସ୍ଥା ସହ ନାରୀ-ମୁକ୍ତିର ଅଭୀଷ୍ପାକୁ ସମାନ୍ତର ଆବେଗ ସହ କବିତା
ଆତ୍ମପ୍ରକାଶ କରେ। ଏହା ନାରୀ ସଂଘର୍ଷର ବିସ୍ଫୋରକ ଆତ୍ମାଭିବ୍ୟକ୍ତିକୁ ସୂଚିତ କରେ।
ବ୍ରହ୍ମଶକ୍ତି ଏବଂ ନାରୀ-ମୁକ୍ତିର ଏପରି ଏକୀକରଣପୂର୍ବକ କାବ୍ୟ-ଜିଜ୍ଞାସାରେ ଜିଜୀବିଷାର ଦୃଢ
ପ୍ରତିରୋଧର ସ୍ଵର ସମକାଳୀନ ଭାରତୀୟ ନାରୀ କବିତାରେ ପ୍ରାୟତଃ ଦୃଷ୍ଟିଗୋଚର ହୁଏ ନାହିଁ। ‘ଯୋଗିନୀ ଗୀତ’ର ଅନ୍ତଃସ୍ଵର, ନାରୀ ମୁକ୍ତିର ଶୁଭ ଶଙ୍ଖ-ନାଦକୁ
ଅପେକ୍ଷା କରେ। କବିତାରେ –
“ଲୟ
ଲଗାଇଛି / କେତେବେଳେ
ଶେଷ
କାକଳି ଶୁଭିବ / ନିଶିବିହଙ୍ଗର
କେତେବେଳେ
/ ପ୍ରଥମ ପାଖୁଡ଼ା ଖୋଲିବ
ରକ୍ତ
ମନ୍ଦାରର / କେତେବେଳେ ଶଙ୍ଖ ବାଜିବ / ଯୁଦ୍ଧ ଆରମ୍ଭର
କେତେବେଳେ
/ ଉନ୍ମତ୍ତ ସମର୍ପଣର ପାଦତଳେ
ଲୋଟିବ
ମୂର୍ଚ୍ଛିତ ଅହଂକାର” (ଯୋଗିନୀ ଗୀତ)
ବାମାବାଦୀ
କବି ଅପର୍ଣ୍ଣା ମହାନ୍ତିଙ୍କ କବିତାରେ ମିଥର (myth) ସୂକ୍ଷ୍ମ କଳାତ୍ମକ ପ୍ରୟୋଗ ଦେଖିବାକୁ ମିଳେ। କବିତାର ଅଧିକାଂଶ
ମିଥକୀୟ ଚରିତ୍ର ନାରୀକୁ ଦେବୀ କିମ୍ବା ସତୀ ରୂପରେ ନୁହେଁ, ବ୍ୟକ୍ତି/ମାନବୀ ରୂପରେ ଦେଖିବାକୁ ସେ
ବେଶ ଆଗ୍ରହୀ। ପୌରାଣିକ ଚରିତ୍ର ସବୁର ନବ-ମୂଲ୍ୟାୟନ ମାଧ୍ୟମରେ କବି ନିଜର ଭାବ ବ୍ୟକ୍ତ କରିବାର
ସଫଳ ଚେଷ୍ଟା କରିଛନ୍ତି। ସହାନୁଭୂତିର ବାଂମୟରୁ ଉପରକୁ ଉଠି ସ୍ଵ-ଅନୁଭୂତିର କଥା କହିଛନ୍ତି।
ଏକବିଂଶ ଶତାବ୍ଦୀର ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହ କବି ମହାନ୍ତି ନିଜ ନିର୍ଭୀକ ସ୍ଵରକୁ
ପ୍ରତିବାଦର ମନ୍ତ୍ରରେ ଅଭିମନ୍ତ୍ରିତ କରିଛନ୍ତି। ପିତୃସତ୍ତାର ହୁଙ୍କାର ମଧ୍ୟରେ ତାଙ୍କ କବିତା
ଜୋରଦାର ପ୍ରତୁତ୍ତର ଦେଇଛି। ଯୌନ-କୁଣ୍ଠା, ଲୈଙ୍ଗିକ-ବିଭେଦ, ଅସ୍ମିତା ତଥା ଅସ୍ତିତ୍ଵବୋଧର ପ୍ରଶ୍ନ ସହିତ ପ୍ରେମ, ପରମ୍ପରା ଏବଂ ବିଦ୍ରୋହର ଅଦ୍ଭୁତ
ସାମଞ୍ଜସ୍ୟ ତାଙ୍କ କବିତାକୁ ଦେଇଛି ଅପରୂପ ଶ୍ରଦ୍ଧା। ସଂଘର୍ଷର ଅବିଶ୍ରାନ୍ତ ଆଶା ଓ ବିଶ୍ଵାସ
ସହ ‘ଭ୍ରୁଣ’ରୁ ‘ଚିତା’ ଏବଂ ‘ଚିତା’ରୁ ଚୈତନ୍ୟକୁ ଯାତ୍ରା ହିଁ ଅପର୍ଣ୍ଣା
ମହାନ୍ତିଙ୍କ କବିତାର କଳେବର।
ସମକାଳୀନ
ଓଡିଆ ନାରୀ କବିତାର ବିମର୍ଶ ପୃଷ୍ଠା ଯେତେବେଳେ ଖୋଲାଯିବ, ଆଦ୍ୟ ନିର୍ଭୀକ ସ୍ଵର ରୂପରେ ଅପର୍ଣ୍ଣା
ମହାନ୍ତିଙ୍କ କବିତା ଗୋଟିଏ ଜୋରଦାର ପ୍ରତ୍ୟୁତ୍ତର ଦେବ। ତାଙ୍କର ମୁକ୍ତ ଶବ୍ଦ ଚୟନ, ନିରଳସ ସାଧନା ଓଡିଆ ନାରିବାଦୀ
ପରମ୍ପରାର ମୋଡ଼ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଥିବାର କ୍ରାନ୍ତିକାରୀ ସ୍ଵରକୁ ଧ୍ଵନିତ
କରୁଥିବ।
@ଦିବ୍ୟ ରଞ୍ଜନ ସାହୁ
Comments
Post a Comment