ମଧୁର ପ୍ରେମର ଯନ୍ତ୍ରଣାସିକ୍ତ ଆଖ୍ୟାୟିକା : ପ୍ରେମିକା
ମଧୁର ପ୍ରେମର ଯନ୍ତ୍ରଣାସିକ୍ତ ଆଖ୍ୟାୟିକା : ପ୍ରେମିକା
ପ୍ରେମିକା, ବିଭୂତି ପଟ୍ଟନାୟକ (Bibhuti Pattanayak), ଦଶମ ସଂସ୍କରଣ; ୨୦୧୮, କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ, ମୂଲ୍ୟ-୧୦୦/-
ଓଡ଼ିଶାର ସମକାଳୀନ ଲୋକପ୍ରିୟ ଉପନ୍ୟାସକାର ବିଭୂତି ପଟ୍ଟନାୟକଙ୍କ ଖୁବ ଚର୍ଚ୍ଚିତ କୃତିମାନଙ୍କ ମଧ୍ୟରୁ ‘ପ୍ରେମିକା’ ଉପନ୍ୟାସର ପ୍ରସିଦ୍ଧି ସ୍ଵତନ୍ତ୍ର। ବିଶ୍ଵବିଦ୍ୟାଳୟୀ ଜୀବନରେ ପ୍ରେମ ଏକ ଆବେଗାତ୍ମକ ଅନୁଭୂତି। ସେଇ ପ୍ରେମ, ଯାହାର ମିଳନଠାରୁ ବିଚ୍ଛେଦର ପ୍ରଗ୍ଳଭତା ଅଧିକ ସମ୍ବେଦନଧର୍ମି। ସେହିପରି ଜୀବନ୍ତ ପ୍ରସଙ୍ଗକୁ ଭିତ୍ତିକରି ଔପନ୍ୟାସିକଙ୍କ ଏ ପ୍ରକାର ସୃଷ୍ଟି ଓଡ଼ିଆ ସାହିତ୍ୟରେ ବିରଳ।
‘ପ୍ରେମ’ କହିଲେ ସାଧାରଣତଃ
ଆମେ ଜୀବନର କେନ୍ଦ୍ରୀୟ ଭାବ ବୋଲି ବିଚାରକୁ ନେଇଥାଉ। ଆମ ସାମଗ୍ରିକ ଜୀବନରେ ଆଦ୍ୟଠାରୁ ପ୍ରାନ୍ତ୍ୟ
ପର୍ଯ୍ୟନ୍ତ ଯେଉଁ ଆନ୍ତରିକ ଅଭିଲିପ୍ସା ସତତ ଦିପ୍ତିମନ୍ତ ହେଉଥାଏ, ତାହାରି
ମୂଳରେ ପ୍ରେମର ମହାମନ୍ତ୍ର ଅହରହ ଉଦ୍ଘୋଷିତ ହେଉଥାଏ। ଜୀବନର ସବୁ ସଫଳତା ଓ ସବୁ ବିଫଳତା ମୂଳରେ
ପ୍ରେମ ହିଁ ମୁଖ୍ୟ ନାୟକ ରୂପେ ସାମନାକୁ ଆସିଥାଏ । କୁହାଯାଇପାରେ
ଯେ କଥାବସ୍ତୁର ନାୟକ ଓ ନାୟିକାଙ୍କ ପ୍ରେମ, ଆଦର୍ଶ, ଏବଂ ବିରହର ଶୃଙ୍ଖଳିତ ଆଖ୍ୟାୟିକା ହିଁ ‘ପ୍ରେମିକା’ ଉପନ୍ୟାସର ପ୍ରସ୍ଫୁଟିତ ପରିଭାଷା। ଯଦିଓ ଉପନ୍ୟାସରେ ମୁଖ୍ୟ ଚରିତ୍ରଙ୍କ ସମ୍ବୋଧନଧର୍ମି ନାମ (ଯଥା-ଅନଳ,
ପଲ୍ଲବୀ,
ଝୁନା) ଆଦିର ପ୍ରୟୋଗ କ୍ଵଚିତ ଦୃଷ୍ଟିଗୋଚର ହୁଏ,
ଏହାସତ୍ତ୍ଵେ ମଧ୍ୟ ରଚନାଟି ସଂପୂର୍ଣ୍ଣ ଚରିତ୍ରପ୍ରଧାନ ହୋଇଥିବା ଲକ୍ଷ୍ୟକରାଯାଇପାରେ। ପଶ୍ଚ୍ୟାତ୍ ପଟ୍ଟଦୃଶ୍ୟାନ୍ତର ଶୈଳୀରେ ରଚିତ ଏ ଉପନ୍ୟାସର ଗଠନ କୌଶଳକୁ ବିହଙ୍ଗାବଲୋକନ କଲେ ଜଣାଯାଏ ଯେ ଏହା ପାଞ୍ଚ ଭାଗରେ ବ୍ୟାଖ୍ୟାୟିତ;
ଯଥା – ୧ – ପୃଷ୍ଠଭୂମି: ପ୍ରେମିକ,
୨- କଥାରମ୍ଭ ପ୍ରେମିକା,
୩- ପ୍ରେମିକାର ନିଷିଦ୍ଧ ପୃଥିବୀ,
୪- ପ୍ରେମିକ ସହିତ ଦେଖା ଏବଂ ୫- ପରିଶିଷ୍ଟ: ପ୍ରେମିକାର ପତ୍ରଲିପି। ଏତତ୍ ବ୍ୟତୀତ ଆତ୍ମାଳାପ ଶୈଳୀ ଓ ପତ୍ରାତ୍ମକ ଶୈଳୀର ବ୍ୟବସ୍ଥିତ ପ୍ରୟୋଗ ଲେଖକଙ୍କ କଳାତ୍ମକ ଦୃଷ୍ଟିକୁ ସ୍ପଷ୍ଟ ସଂକେତ କରେ ।
ଚରିତ୍ର ସୃଜନ କଲାବେଳେ ଲେଖକ ମୁଖ୍ୟ ନାୟକକୁ ଆଦର୍ଶବାଦୀ ତଥା ସାହିତ୍ୟାନୁରାଗୀ ସ୍ରଷ୍ଟା ରୂପରେ ଗଢିତୋଳିଛନ୍ତି। ସରଳତାର ଭୂଷଣରେ ବିମଣ୍ଡିତ କରି ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କୁ ବିରହ-ଯନ୍ତ୍ରଣା ଅନୁଭବ କରାଇଛନ୍ତି। ପାରିବାରିକ ସମସ୍ୟା ଭିତରେ ମଧ୍ୟ ପ୍ରେମିକା (ନାୟିକା)ର ଶୃଙ୍ଖଳିତ ପ୍ରେମ ତଥା ବାସ୍ତବବାଦୀ ଦୃଷ୍ଟିକୋଣ ସୃଷ୍ଟିକୁ ସଫଳ ତଥା ହୃଦୟଗ୍ରାହୀ କରିପାରିଛି।
ସାବଲୀଳ ଭାଷା ସହିତ ପାଠକଙ୍କୁ ବାନ୍ଧି ରଖିବାର ମନଃସ୍ଥାତ୍ଵିକ କୌଶଳ ଉପନ୍ୟାସକୁ ପୂର୍ଣ୍ଣତା ପ୍ରଦାନ କରେ। ଯେପରି ଆରମ୍ଭରୁ ହିଁ ସେ ଲେଖନ୍ତି – “ତମ ଦେହର କେଉଁ ଅଂଶକୁ କିପରି ଭାବରେ ଛୁଇଁଲେ ତମ ଦୁଇ ନୟନ ମୁଦ୍ରିତ ହୋଇଯାଏ,
ସେକଥା ମୁଁ ନିଜେ ଆଖି ବନ୍ଦକରି କହିଦେଇପାରେ। ନାରୀ ଦେହର ଏ ରହସ୍ୟ ତା ସ୍ଵାମୀ ଭିନ୍ନ ଆଉ କେହି ଜାଣୁ,
ଏକଥା ଭାବିବାକୁ ମତେ କଷ୍ଟ ଲାଗେ। ଜଣେ ପୁରୁଷ ପାଖରେ ନିଜକୁ ଅନାବୃତ କରି ଆଉ ଜଣକୁ ବିବାହ କଲେ ନାରୀ ସତୀ ହୁଏ କି ସୁଖୀ ହୁଏ;
ସେ ଗହନ ଗହୀରରେ ମୋର ଚାଷ ନାହିଁ । କିନ୍ତୁ ନାରୀ ସ୍ଵେଛାରେ ଜଣକ ପାଖରେ ଆତ୍ମସମର୍ପଣ କରି ଆଉ ଜଣକୁ ବିବାହ କରିବ;
ଏକଥା ଭାବିବା ମାତ୍ରେ ଏ ପୃଥିବୀ ମୋତେ ବିଧବା ଭଳି ଦୁଃଖିନୀ ଦେଖାଯାଏ। (ପୃ.୦୧)
#ଉପନ୍ୟାସଟି ନିଶ୍ଚିତରୂପେ ହୃଦୟସ୍ପର୍ଶୀ
©ଦିବ୍ୟ ରଞ୍ଜନ ସାହୁ
Comments
Post a Comment