ଜୀବନ ଶ୍ଵେତପତ୍ରର ଅଲିଭା ଅବଶିଷ୍ଟ : ମହାଶ୍ଵେତାଙ୍କ ‘ଏବଂ ଅବଶିଷ୍ଟ’


ଜୀବନ ଶ୍ଵେତପତ୍ରର ଅଲିଭା ଅବଶିଷ୍ଟ : ମହାଶ୍ଵେତାଙ୍କ ଏବଂ ଅବଶିଷ୍ଟ

ଏବଂ ଅବଶିଷ୍ଟ, @ମହାଶ୍ଵେତା ସାହୁ, ୨୦୧୯, ଭୁବନେଶ୍ୱର:ପଶ୍ଚିମା ପବ୍ଲିକେଶନସ୍, ମୂଲ୍ୟ- ୧୧୦/-

ସଂବେଦନା ଏବଂ ବାସ୍ତବତାର ଭୂମି ଉପରେ, ଜୀବନର ଶ୍ଵେତପତ୍ରରେ ଅଙ୍କାଯାଇଥିବା ଅଠରଗୋଟି ଶବ୍ଦଚିତ୍ର ; ମହାଶ୍ଵେତା ସାହୁଙ୍କର ଏବଂ ଅବଶିଷ୍ଟ ଗଳ୍ପ ସଙ୍କଳନର କଳେବରକୁ ସ୍ଵୟଂ ସଂପୂର୍ଣ୍ଣ କରେ। ପ୍ରତ୍ୟେକଟି ଗପ ପାଠକକୁ ତାର ପରିଚିତ ସଂସାରକୁ ନେଇଯାଏ। କଳ୍ପନାର କଳାତ୍ମକ କୌଶଳରେ ଯୋଡ଼ି ଦେଇଯାଏ ଅନେକଗୁଡ଼ିଏ ଚିହ୍ନା-ଅଚିହ୍ନା ଭାବ ଆଉ ଅଭାବ ମାନଙ୍କୁ। ସରଳ ତଥା ବୋଧଗମ୍ୟ ଶବ୍ଦାବଳୀର ଆଲୋକରେ ଦୃଶ୍ୟମାନ ହେଉଥିବା ଆମ ସାଂପ୍ରତିକ ଜୀବନର ପ୍ରତିଛବି ଏଥିରେ ଆଉ ଟିକିଏ ଉଜ୍ଜଳ ଆଉ ସ୍ପଷ୍ଟ ଦେଖାଯାଉଥିବା ମନେହୁଏ ।   

          ସମକାଳୀନତାର ପ୍ରଭାବ ଏ ସଂଗ୍ରହକୁ ଦେଇଛି ବୈଜ୍ଞାନିକତା ଓ ବାସ୍ତବବାଦୀ ଦୃଷ୍ଟି। ସରଳତାର ଚାତୁର୍ଯ୍ୟରେ କଣାମାଷ୍ଟ୍ରେ ପରି ଗଳ୍ପ ସବୁର ଉପଲବ୍ଧି ଖୁବ ପ୍ରଶଂସନୀୟ। ଉଆଁସୀ ରାତି, ଆଖୁବଣ ଓ ପାଳଭୂତର ଛାଇ ହୋଇପାରେ ଏକ ସୁଖାନ୍ତ ଗପ, ଏହା ସତ୍ତ୍ଵେ ମିଲୁ ନାନୀ ଚରିତ୍ର ସୃଜନରେ ଯେଉଁପ୍ରକାର ମନଃସ୍ଥତ୍ତ୍ଵର ବିକାଶ ହୋଇଛି ; ସ୍ଥାନ-କାଳ ଓ ଚରିତ୍ର ଦୃଷ୍ଟିରୁ ବେଶ ସଂବେଦନଶୀଳ ମନେହୁଏ। ବିଷୟ ଚୟନ ଦୃଷ୍ଟିରୁ ମଧ୍ୟ ଉପରୋକ୍ତ ଗଳ୍ପ ସବୁ ବାରି ହୋଇ ପଡେ। ସେହିପରି ବାପା ଝିଅ ଗଳ୍ପର କାବ୍ୟାତ୍ମକତା ଉଲ୍ଲେଖନୀୟ। ଯେମିତି –

                                        “ଅବୁଝା ମନକୁ ଆଉ

                                        ଆଜିକାଲି ବୁଝାଇବା ଲୋଡ଼ା ନାହିଁ

                                        ନିଜଠାରୁ ଆପଣାର କେହି ନାହିଁ

                                        ବୁଝିବାକୁ !”   (ପୃ. -୧୦୬)

ସଙ୍କଳନର ପ୍ରଥମ ଦ୍ୱୟ ଏବଂ ଅବଶିଷ୍ଟଭୋକ ଗଳ୍ପ ମାଧ୍ୟମରେ ବାଳିକା ବିମର୍ଶର ଅଦୃଷ୍ଟ ପ୍ରଶ୍ନଗୁଡ଼ିକ ସହ ସାମ୍ନାକୁ ଆସିଛନ୍ତି ଲେଖିକା। ବଢିଲା ଝିଅର ବଳାତ୍କାର ଓ ହତ୍ୟାର ନୃଶଂସତା ମଧ୍ୟରେ ତାକୁ ଖାପଖୁଆଉଥିବା ପରିସ୍ଥିତି ଗୁଡ଼ିକର ମନଃସ୍ଥିତିକୁ ସନ୍ଦର୍ପରେ ଆବିଷ୍କାର କରିବା ; ଭୋକ ଗଳ୍ପର ନାମକରଣକୁ ସାର୍ଥକ କରିପାରିଛି। ଇତିମଧ୍ୟରେ ଅନ୍ଧବିଶ୍ଵାସ ମଧ୍ୟରେ ବିଜ୍ଞାନର ବିଜୟ ଏବଂ ଅବଶିଷ୍ଟ ଗଳ୍ପର ମୂଳ ସଂବେଦନାକୁ ଉଚିତ ମର୍ଯ୍ୟାଦା ଦେଇପାରିଛି ବୋଲି ମନେହୁଏ।

          ମନିକା ଗଳ୍ପର ସମଗ୍ର ପନ୍ଦରଗୋଟି ପ୍ରୟୋଗାତ୍ମକ କୌଶଳ ମଧ୍ୟରେ ମୁଖ୍ୟ ଚରିତ୍ରର ସାମଗ୍ରିକ ବିକାଶ ଓ ଉତ୍କୃଷ୍ଟ ଭାଷିକ ଦକ୍ଷତା ମହାଶ୍ଵେତାଙ୍କ ଶବ୍ଦ ସଂଭାରକୁ ନୂତନତ୍ଵ ଦିଏ। ପାଠକକୁ ଦିଏ ବିହ୍ଵଳତା, ଯେମିତି – “ଦୁର୍ବିସହ ବେଦନାର ଅହରହ ମରୁଥିବା ମନିକାର ପ୍ରଶ୍ନ ଆଜି ଶବ୍ଦହୀନ ଆକାଶକୁ-ଶୂନ୍ୟତାକୁ, ଭିଜା ଭିଜା ବାଦଲକୁ। ଦୁରତ୍ଵରୁ ଦିଶୁଥିବା ପାହାଡ଼କୁ – ଜୀବନରୁ ମୃତ୍ୟୁର ଦୂରତା ଆଙ୍କୁଥିବା ସମୟକୁ ସେ ଧାଏଁ। ଫୁଲଠାରୁ ବାସ୍ନାର ଦୂରତା ମାପୁ ମାପୁ ପୁଣି କବିତାରୁ ମିନି – ପୁଣି ମିନିରୁ ମନିକା ପାଲଟିଯାଏ”(ପୃ.– ୧୨୩)

          ସଙ୍କଳନର ଅଧିକାଂଶ ଗଳ୍ପର ମହାଭାବ ପ୍ରେମ ଏବଂ ସଂଘର୍ଷ ଉପରେ ଅଧିଷ୍ଠିତ। ମନଃସ୍ଥାତ୍ତ୍ଵିକ ବିଶ୍ଳେଷଣ, କାବ୍ୟିକ ଛଟା ସହ କଥୋପକଥନ, ଆତ୍ମାଳାପ, ଫ୍ଲାସବ୍ୟାକ ତଥା ପତ୍ର ଶୈଳୀ ଆଦିର ପ୍ରୟୋଗ କୌଶଳ ପାଠକକୁ ମନ୍ତ୍ରମୁଗ୍ଧ କରିବାର ସଂପୂର୍ଣ୍ଣ ଦକ୍ଷତା ରଖେ।

#ପଠନୀୟ କୃତି

---- ଦିବ୍ୟ ରଞ୍ଜନ ସାହୁ       

 


Comments

Popular posts from this blog

ପିତୃସତ୍ତାର ହୁଙ୍କାର ମଧ୍ୟରେ ସମକାଳୀନ ନାରୀ ସ୍ଵର : ଅପର୍ଣ୍ଣା ମହାନ୍ତିଙ୍କ ଜୋରଦାର ପ୍ରତ୍ୟୁତ୍ତର

ଜନଜାତି ସଂସ୍କୃତିରେ ଜିଜୀବିଷାର ସଂଘର୍ଷ : ‘ସେଁରରା’ର ଆଞ୍ଚଳିକ ଆବେଦନ