ଜନଜାତି ସଂସ୍କୃତିରେ ଜିଜୀବିଷାର ସଂଘର୍ଷ : ‘ସେଁରରା’ର ଆଞ୍ଚଳିକ ଆବେଦନ
ଜନଜାତି ସଂସ୍କୃତିରେ ଜିଜୀବିଷାର ସଂଘର୍ଷ : ‘ସେଁରରା’ର
ଆଞ୍ଚଳିକ ଆବେଦନ
ଗଳ୍ପ ବା କାହାଣୀକୁ ଯେ କୌଣସି
ସ୍ଵତନ୍ତ୍ର ଅବା ସାର୍ଥକ ସଂଜ୍ଞା ଦ୍ଵାରା ଅନାବୃତ୍ତ କରିବା ସମ୍ଭବପର ନୁହେଁ । ଏହା ଏପରି ଏକ
ରଚନାତ୍ମକ କୌଶଳ, ଯେଉଁଥିରେ ଲେଖକ
କୌଣସି ନା କୌଣସି ଘଟଣା ଅଥବା ମନୋଦୃଷ୍ଟିକୁ ପାଠକର ସାମ୍ନାକୁ ଆଣି ନିଜର ଉଦ୍ଦେଶ୍ୟ ସ୍ପଷ୍ଟ
କରିଥାଏ । ସେହି ଉଦ୍ଦେଶ୍ୟର ସଫଳତା ପାଇଁ ସେ ନିଜର ଚରିତ୍ର ମାନଙ୍କୁ ସପ୍ରସଙ୍ଗ ଗଢିଥାଏ। କଥାବସ୍ତୁର
ସମଗ୍ରତାରେ ଯୋଡିଦିଏ ବାତାବରଣର ସୌକୁମାର୍ଯ୍ୟ ସୌନ୍ଦର୍ଯ୍ୟକୁ । ନିଜ ପସନ୍ଦର ଶୈଳୀ ବିନ୍ୟାସରେ
ଅଳଙ୍କୃତ କରେ କଥାବସ୍ତୁର କଳେବରକୁ । ସମଗ୍ର ଭାରତୀୟ ସାହିତ୍ୟରେ ଗଳ୍ପ(କାହାଣୀ)ର ସ୍ଵତନ୍ତ୍ର
ମର୍ଯ୍ୟାଦା ରହିଛି। ଏ ଧାରାରେ ସମସାମୟିକ ଓଡ଼ିଆ ଗଳ୍ପ ସାହିତ୍ୟରେ,
ଯୁବ ତଥା ପ୍ରତିଭାବାନ୍ ଶବ୍ଦ ଶିଳ୍ପୀ ଡିଲେଶ୍ଵର ରଣାଙ୍କ ଗଳ୍ପ ସବୁ ଏକ ନିଜସ୍ୱ
ବୈଶିଷ୍ଟ୍ୟସମ୍ପର୍ଣ୍ଣ ପରିଚିତି ବହନ କରେ। ଆଞ୍ଚଳିକ ଗଳ୍ପ ଲିଖନ ପରମ୍ପରାର ନୂତନ ଅଧ୍ୟାୟ ସୃଷ୍ଟି କରୁଥିବା ଡିଲେଶ୍ଵରଙ୍କ ଅନୁଭୂତି ତାଙ୍କ ଲେଖନୀରେ ସ୍ଵତଃ
ପରିସ୍ଫୁଟ। ଗ୍ରାମ୍ୟସତ୍ତା ପ୍ରତି ଥିବା ଅଦ୍ଭୁତ ଆକର୍ଷଣ, ଆଞ୍ଚଳିକ ପରମ୍ପରା ଓ ସଂସ୍କୃତିର ଶବ୍ଦ
ସମ୍ଭାରକୁ ପାଠକକୁ ଭେଟିଦେବା ନିଶ୍ଚିତ ଶ୍ରମସାଧ୍ୟ ବିଷୟ । ଆପଣାପଣ ଯେପରି ଅବ୍ୟକ୍ତ ଠିକ୍ ସେହିପରି
ଆଞ୍ଚଳିକତାର ଅପାରମ୍ପରିକତାକୁ ବ୍ୟକ୍ତ କରିବା ପାଇଁ ମଧ୍ୟ ସବୁ ଶବ୍ଦ ଅର୍ଥାତୀତ। ନୈସର୍ଗିକ
ଗ୍ରାମୀଣ ଚୈତନ୍ୟତାକୁ ଗଳ୍ପର ରୂପ ଦେଲାବେଳେ ଡିଲେଶ୍ଵର ପାଠକଙ୍କ ଭାଷିକ ଦକ୍ଷତା ପ୍ରତି
ଗୁରୁତ୍ଵ ଦେବା ସହ ଅଜ୍ଞାତ, ଅପରିଚିତ ଓ ରହସ୍ୟାତ୍ମକ ଅପଠନୀୟତାକୁ ତାଙ୍କ ସୃଷ୍ଟି ସମ୍ଭାରରୁ ପ୍ରାୟତଃ ବହିଷ୍କାର
କରିଛନ୍ତି। ଯାହାଦ୍ୱାରା ତାଙ୍କ ଗଳ୍ପ ସୁରୁଚିସମ୍ପର୍ଣ୍ଣ ଓ ସରଳ ବୋଧଗମ୍ୟ ହୋଇପାରିଛି।
ଓଡ଼ିଆ ଗଳ୍ପ ସର୍ଜନର ଭୂମି ଉପରେ ଫକୀରମୋହନଙ୍କ ଠାରୁ
ଆରମ୍ଭ କରି ସମକାଳୀନ ରଚନାକାର ମାନେ ସମାଜର ବିଭିନ୍ନ ଦିଗ ଗୁଡ଼ିକ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ
କରିଛନ୍ତି। ଉଚ୍ଚ, ମଧ୍ୟ ତଥା ନିମ୍ନ
ବର୍ଗର ସମସ୍ୟା ଗୁଡ଼ିକ ସହ ସମସାମୟିକ ସାମାଜିକ ବ୍ୟବସ୍ଥାକୁ ଲେଖନୀରେ ପରିପକ୍ଵ ଓ ଅଧିକ ଶାଣିତ
ମଧ୍ୟ କରିଛନ୍ତି। ସମାଜ ପରିବର୍ତ୍ତନଶୀଳ । ଆମେ ଜାଣୁ ସମୟାନୁସାରେ ସାମାଜିକ ମୂଲ୍ୟ ଗୁଡିକର ଅବକ୍ଷୟ ହୁଏ ଓ ତା
ସହିତ ନୂତନ ମୂଲ୍ୟବୋଧରେ ସମାଜ ଗତିମାନ ମଧ୍ୟ ହୁଏ। ଧୀରେ – ଧୀରେ ଜମାଟ ବାନ୍ଧିଥିବା ବହୁ
ଅନୁଚ୍ଚାରିତ ପ୍ରସଙ୍ଗ ଖୋଲେ ଆଉ ସାହିତ୍ୟ ସହ ଏକୀକୃତ ହୋଇ ଜୀବନ୍ତ ତଥା ଅଧିକ ଜ୍ଵଳନ୍ତ ଅନୁଭୂତ
ହୋଇଥାଏ। ଏହି ସମୟର ବୁଦ୍ଧିଜୀବୀ ତଥା ରଚନାକାର ବର୍ଗ ଅଧିକ ସଚେତନ ଓ ଦୂରଦ୍ରଷ୍ଟା ଲକ୍ଷ
କରାଯାଇପାରେ। ଏ ପରିପ୍ରେକ୍ଷୀରେ ଯୁବ ଗାଳ୍ପିକ ଡିଲେଶ୍ଵର ରଣାଙ୍କ ଗଳ୍ପ ସଂକଳନ ‘ସେଁରରା’ର ଆଞ୍ଚଳିକ
ଆବେଦନକୁ ଗମ୍ଭୀରତାର ସହ ସିଂହାବଲୋକନ କରାଯାଇପାରେ।
‘ସେଁରରା’ର ନାମକରଣରୁ ହିଁ
ଲେଖକଙ୍କ ବିଚାର ଦୃଷ୍ଟି ସହଜରେ ଅନୁମେୟ। ସମ୍ବଲପୁରୀ / କୋଶଳୀ ଶବ୍ଦ ସବୁର ବ୍ୟବସ୍ଥିତ ପ୍ରୟୋଗ ପାଠକକୁ ପ୍ରାରମ୍ଭିକ ପର୍ଯ୍ୟାୟରେ
ଆକର୍ଷିତ କରିବା ସ୍ଵାଭାବିକ। ଗାଳ୍ପିକ ବଡ ଚତୁରତାର ସହ ସଙ୍କଳନର ସମଗ୍ର ଦଶଟିଯାକ ଗଳ୍ପର
କଥାବସ୍ତୁ ଗୁଡିକୁ ବିଭିନ୍ନ ସାମାଜିକ ସମସ୍ୟା ଗୁଡ଼ିକ ସହ ଏକୀଭୂତ କରିବାର ଚେଷ୍ଟା କରିଛନ୍ତି ।
କହିବାକୁ ଗଲେ ପ୍ରାୟତଃ ଗଳ୍ପର ବିଷୟବସ୍ତୁ
ଗୁଡିକରେ ବ୍ୟାପକତା ନାହିଁ, କିନ୍ତୁ
ବାସ୍ତବବାଦୀ ଦୃଷ୍ଟି ଦେଖିବାକୁ ମିଳିଥାଏ । ଅଧିକାଂଶ ଗଳ୍ପ ଗୁଡିକର କେନ୍ଦ୍ରଭୂମି କଳାକାଣ୍ଡି
/ ଭବାନୀପାଟଣାର ଆଖ ପାଖରେ ରହୁଥିବା ଲକ୍ଷ କରାଯାଏ। କଥା କହିବାର (କଥକ ପରମ୍ପରା) ଅଥବା
କାହାଣୀ ଶୁଣି ଶୁଣେଇବାର ଶୈଳୀ ସଙ୍କଳନଟିକୁ ଅଧିକ ସରଳ ଏବଂ ହୃଦୟଗ୍ରାହୀ କରିପାରିଛି।
ବିଶେଷକରି ପଶ୍ଚିମ ଓଡିଶାର
ଜନଜାତିକୁ କେନ୍ଦ୍ର କରି ଲେଖା ଯାଇଥିବା ଅଧିକାଂଶ ଗଳ୍ପ ଗୁଡିକରେ ଆଞ୍ଚଳିକ ଶବ୍ଦ ରହିବା
ସ୍ଵାଭାବିକ ମନେ ହେଉଥିଲେ ମଧ୍ୟ କେତେକାଂଶରେ ଏହା ଆବଶ୍ୟକତାଠାରୁ ଅଧିକ ପ୍ରୟୋଗ ହୋଇଥିବା ଲକ୍ଷ
କରା ଯାଇପାରେ। କିଛି ଶବ୍ଦ ଯେମିତି – ‘ପହ୍ଲା, ଦୁସରା, ଭୁତି ଆଦିର ବହୁଳ ପ୍ରୟୋଗ ବାକ୍ୟ ସବୁକୁ ଅଧିକ ଆଳଙ୍କାରିକ ତଥା ଅଯୌକ୍ତିକ ପ୍ରତୀତ
ହୁଏ । ଅନ୍ୟ ପକ୍ଷରେ ଏହା
ଲେଖକଙ୍କ ନିଜସ୍ୱ ଗଠନ ଶୈଳୀକୁ ମଧ୍ୟ ସୂଚିତ କରେ । କହିବାର ତାତ୍ପର୍ଯ୍ୟ ଆଞ୍ଚଳିକ ଶବ୍ଦ
ପ୍ରୟୋଗ ସମ୍ବନ୍ଧରେ ଲେଖକ କୌଣସି ସାଲିସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ନିଜ ମାଟିର କଥା ଓ
ବ୍ୟଥା କହିବା ସମୟରେ ସେ ଅଧିକ ବାସ୍ତବବାଦୀ ଓ ଆଦର୍ଶନ୍ମୁଖି ହୋଇ ପଡିଛନ୍ତି । ନଷ୍ଟାଲିଜିଆର ପ୍ରଭାବ ତାଙ୍କ ଗଳ୍ପ
ସବୁକୁ ମାର୍ମିକତାର ଭୂଷଣରେ ଅଧ୍ୟାବଧି ଅଧିଗ୍ରସ୍ଥ କରି ସାରିଛି । ପୂର୍ଣ୍ଣତା ପାଇଛି ।
ପଳାୟନର ସମସ୍ୟା ସାଙ୍ଗକୁ ମାଟି
ଏବଂ ବୃତ୍ତି ପ୍ରେମର ଏକାନ୍ତତା ହିଁ ‘ସେଁରରା’ ଗଳ୍ପର କେନ୍ଦ୍ରୀୟ ଆକର୍ଷଣ । ସମର୍ଥ କଥାକାର ଡିଲେଶ୍ଵରଙ୍କ ଏ ଗଳ୍ପ ମାଧ୍ୟମରେ ନିଜ
ମୁଖ୍ୟ ଚରିତ୍ର ଡମ ବୁଢାକୁ ସେ ଖୁବ ସଜଗତାର ସହ ଗଢିଛନ୍ତି । ‘ସେଁରରା’ ଶବ୍ଦର
ଆଭ୍ୟନ୍ତରରେ ଲୁଚି ରହିଛି ସେଇ ଅକଥନୀୟ ଶବ୍ଦ-ବାକ୍ୟ ହୀନ ଜିଜୀବିଷାର ଅନ୍ତଃସ୍ଵର, ଯେଉଁଥିରେ ସବୁ ଠିକ-ଭୁଲ ହିସାବ-ନିକାସର ଦ୍ଵାର ରୁଦ୍ଧ ହୋଇଯାଏ । ନିଜର ମନୋବ୍ୟଥାକୁ ନିଜ ଭିତରେ ଚାପିରଖି ସଂସାର ସାମ୍ନାରେ ପ୍ରସ୍ତୁତ
ହେବାକୁ ହୁଏ । ଏକ ପ୍ରକାର କରୁଣତାର ଲହରୀ ଖେଳିଯାଏ ଚତୁଃପାର୍ଶ୍ଵରେ । ନିଃସ୍ତବ୍ଧତା ମଧ୍ୟରେ ଥିବା ମାନବୀୟ ନିରୁତ୍ତରତାର ସୂକ୍ଷ୍ମପଣ ହିଁ
ସମସାମୟିକ ମନୁଷ୍ୟର ମନଃସ୍ଥିତି । ଲେଖକ
ଡମ ବୁଢା (ଚନ୍ଦର)ର ଏହି ସେଁରରାପଣ ଭିତରୁ କୁମ୍ଭକାରର ଆଦି-ବୃତ୍ତି ନିଶ୍ଚିହ୍ନ ହୋଇ ଯିବାର ଭୟ
ଦେଖିଛନ୍ତି । ଯେମିତି ସେ ଲେଖନ୍ତି – “କଲାରପଦର ଗାଁର ଶେଷ ଶିଳ୍ପୀଟି ସବୁଦିନପାଇଁ ପୃଥିବୀରୁ
ଅଦୃଶ୍ୟ ହୋଇଗଲା।” (ପୃ. – ୧୬) ‘ଶେଷ
ଶିଳ୍ପୀ’ କହିବା ପଛରେ ଲେଖକ ବର୍ତ୍ତମାନର ପାରମ୍ପାରିକ ମୂଲ୍ୟବୋଧଜନ୍ୟ
ବାସ୍ତବିକ ସ୍ଥିତି ପ୍ରତି ଗମ୍ଭୀର ଚିନ୍ତା ପ୍ରକଟ କରିଥିବା ମନେହୁଏ । ଏହା ବାଦ ‘ସେଁରରା’ର ଆଞ୍ଚଳିକତା ହିଁ ପାଠକକୁ ଆରମ୍ଭରୁ ଶେଷ
ପର୍ଯ୍ୟନ୍ତ ବାନ୍ଧି ରଖି ପାରିଛି ।
ଗଳ୍ପରେ ପଳାୟନର ସମସ୍ୟାକୁ ଖୁବ
ସଚେତନ ଭାବରେ ଦର୍ଶାଯାଇଛି। ଓଡିଶାର ରାଜନୀତିରେ ଗୌଣ ଅଥଚ ଉଷ୍ମ ଥିବା ଏ ପ୍ରକାର ପ୍ରସଙ୍ଗ
ପ୍ରତି ଲେଖକ ନିଜର ମନ୍ତବ୍ୟକୁ ଉଚିତ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ଯଥା ସମ୍ଭବ ପ୍ରୟାସ
କରିଛନ୍ତି । କଳାତ୍ମକତାର ସହ ସେ ଲେଖନ୍ତି – “ପୁଅମାନେ କଣ କଥା ଶୁଣିବେ । ସେମାନେ ସବୁବେଳେ
ଉଡ଼ନ ଛୁ ମାରୁଛନ୍ତି ସୁରଟ,
ତାମିଲନାଡୁକୁ । ଦିନ ମଜୁରୀ କରିବାକୁ । (ପୃ.
– 14) ଏବେ ରୋଜଗାରର ଅଭାବ ଓଡିଶା ସମେତ ସମଗ୍ର ଭାରତର ସବୁଠୁ ବଡ ସମସ୍ୟା । ଏଥିପ୍ରତି ଗଳ୍ପରେ
ଥିବା ଗମ୍ଭୀର ଦୃଷ୍ଟି ପାଠକଙ୍କୁ ବିମର୍ଶ କରିବା ପାଇଁ ବାଧ୍ୟ କରେ ।
ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଆମ ମୌଳିକ
ଅଧିକାର ହେଲେ ମଧ୍ୟ ଏଥିପ୍ରତି ସଚେତନ ଦୃଷ୍ଟି ଆମ ମଧ୍ୟରେ ନାହିଁ । ସରକାରଙ୍କ ଅପାରଗତାକୁ
ସାମ୍ନାକୁ ଆଣି ଆଜି ବି ଫକୀରମୋହନୀୟ ଶୈଳୀରେ ଯଦି ଆଗକୁ ଲେଖିବାକୁ ହୁଏ-‘’ କହୁଥିଲା ପାଠ କ’ଣ ହେବ
ଯେ ! କ’ଣ ସେଥିରେ ପେଟ ପୁରେ ? କୁମ୍ଭାର
ପିଲା ଦଶ ବର୍ଷରେ ଜୁଆନ ହୁଏ ! ଚକ ଧରିବା ଶିଖି ମାଟି ଚକଟା ଶିଖ । ତେବେ ଯାଇ କୁଟୁମ୍ବ ଚଳିବ
।“ (ପୃ – ୧୨) ତେବେ ଏହା ଆମ ଶାସନ ବ୍ୟବସ୍ଥାର୍ ବଡ ବିଡମ୍ବନା ।
ଗାଁକୁ ଡାକ୍ତରୀ ଟିମ ଆସିବା ଏବଂ
ଫ୍ଲୋରିଡମିଶା ପାଣି ବିଷୟରେ ଗ୍ରାମବାସୀଙ୍କୁ
ଅବଗତ କରାଇ ଦେବୀ କୋପ ଭଳି ଅନ୍ଧବିଶ୍ଵାସରୁ ଦୂରେଇ ଦେବା ଭଳି ପ୍ରସଙ୍ଗ ଲେଖକଙ୍କ ଦୂର ଦୃଷ୍ଟି
ପ୍ରତି ସ୍ପଷ୍ଟ ଇଙ୍ଗିତ କରୁଥିବା ମନେ ହୁଏ । କହିବାକୁ ଗଲେ ସମ୍ପୂର୍ଣ୍ଣ ଭାରସାମ୍ୟଯୁକ୍ତ ଏ
ଗଳ୍ପ ପାଠକକୁ ଅନେକ ପ୍ରକାରେ ଆତ୍ମସାତ କରିବାର ସାମର୍ଥ୍ୟ ରଖିଛି।
ଭବାନୀପାଟଣା ନିକଟବର୍ତ୍ତୀ
କଟୋଡଘାଟିର ପରିବେଶରେ ଗୁନ୍ଥା ଯାଉଥିବା ‘ପିଠି’ ଗଳ୍ପ ମାଧ୍ୟମରେ ଲେଖକ ଆଞ୍ଚଳିକ ଲୋକ କଥା, ଲୋକ ବିଶ୍ଵାସ ଓ ଲୋକ ପରମ୍ପରାକୁ ନୁଆଁ ରୂପ ଦେବାକୁ ଚେଷ୍ଟା କରିଛନ୍ତି । ଗଳ୍ପର
ସଂଜ୍ଞାହୀନତା ପ୍ରତିପାଦିତ କରୁଥିବା ଡିଲେଶ୍ଵରଙ୍କ ଶୈଳୀ ଖୁବ ନିଆରା। ଆଧୁନିକତା ଏବଂ
ବୈଜ୍ଞାନିକ ଦୃଷ୍ଟି ଆଢୁଆଳର ସମାଜ ତାଙ୍କର ସଂସ୍କୃତି, ପରମ୍ପରା ଆଉ
ପ୍ରେମର ଘନୀଭୂତ ରୂପ ସୌନ୍ଦର୍ଯ୍ୟକୁ ଆବିଷ୍କାର କରୁଥିବା ଏ ଗଳ୍ପ ମୁଖ୍ୟତଃ ବୁଢା-ବୁଢୀର ପ୍ରେମ
ଓ ଜିଜୀବିଷାର ସଂଘର୍ଷକୁ ପୂର୍ଣ୍ଣତା ଦେଇଛି।
‘ମେରିଆ’ ଗଳ୍ପକୁ ଗାଳ୍ପିକ
ନିଜେ ଚାରୋଟି ପର୍ଯ୍ୟାୟରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ଯେମିତି – (୧) ପର୍ମେ ଜାନି ଓ
ଭେସକାପଦରର ଇତିହାସ, (୨)ମାଙ୍କଡ ବିହା,
ସନ୍ଦିଇପ ମହାକୁର ଓ ଫିକା ପଡିଥିବା ନୁଆଁଖାଇ, (୩) ଖାଁ-ଖାଁ
ଲାଗୁଥିବା ଗାଁ, (୪) ହଜିଯାଇଥିବା ପଲିଆ ଗୀତ ଓ ମେରିଆ । ଗଳ୍ପଟି ପଢିବାରେ ଯେତେ ସରଳ ତା’ଠାରୁ ଅଧିକ ବେଶି ଏଥିରେ ଥିବା ବିମର୍ଶଧର୍ମୀ ବିଷୟବସ୍ତୁ ଓ ଭାଷିକ ଛଟା
। ଲୋକ ଭାଷା, ଲୋକ ଗୀତ ଓ ଲୋକ କଥାର ବିପୁଳ ବଳୟ ଏ ଗଳ୍ପକୁ ଦେଇ
ପାରିଛି ଅଭିନବ ଆକର୍ଷଣ । ପର୍ମେ ଜାନି, ସନ୍ଦୀପ ମହାକୁର ଭଳି ଚରିତ୍ର
ଚୟନର ଆବଶ୍ୟକତା ହି ଗଳ୍ପର କଳେବରକୁ ସୁଦୃଢ କରିପାରିଛି । ଲୁପ୍ତପ୍ରାୟ ଆଦିମ ଜନଜାତିଙ୍କ
ତନ୍ତ୍ର-ମନ୍ତ୍ର ଓ ଲୋକ ଗୀତକୁ ସଂଗ୍ରହ କରିବାରେ ଗାଳ୍ପିକଙ୍କୁ ନିଶ୍ଚିତ ଭାବରେ କଠିନ ଶ୍ରମ
କରିବାକୁ ପଡିଥିବ । କହିବାର ଅଭିପ୍ରାୟ ଲେଖକ ଗଳ୍ପର ଚିରାଚରିତ ପରମ୍ପରାକୁ ତ୍ୟାଗକରି ଅଧିକ ବସ୍ତୁବାଦୀ
ହୋଇଛନ୍ତି। ଅଧିକାଂଶ ଗଳ୍ପରେ ବ୍ୟବହୃତ ସହାୟକ ତଥ୍ୟ ଓ ବିଷୟବସ୍ତୁରେ ଅନାବଶ୍ୟକ କାଳ୍ପନିକତା
ପରିଲକ୍ଷିତ ହୁଏ ନାହିଁ । ଏଥିପାଇଁ ଗଳ୍ପ ଗୁଡିକରେ ବ୍ୟବହୃତ ତଥ୍ୟ ସବୁର ପୁନରାବଲୋକନର
ଆବଶ୍ୟକତା ଅଛି ବୋଲି ମନେହୁଏ। ଉଦାହରସ୍ୱରୂପ : -
“ସାତାଜାଣାନ, ସାତାନିଗାଡ, ସାପିଗାଣା,
ବାରିଗାଣା
ଦେଶତାକା, ମଦନତାକା, ଖୁସରାଣି, ଦାବରାଣି
ଓଡ଼ିଆଜାନି, ତେଲେଙ୍ଗାଜାନି,
ଖିସକାଜାନି
ନନ୍ଦପୁର, ଶଗଡ଼ଦୁଆର, ବାରଭାଇ, ବତିଶକନ୍ଧ
********************************
ତକେ
ବିନତି କରୁଛି ମା ଆ…..” (ପୃ. – ୩୬)
ଠିକ ସେହିପରି ଲୋକଗୀତ ସ୍ୱରୂପରେ
ଆମେ ପଢୁ :-
“ଏ ଜଳର ଜଲିଆ
ମୋ ଘଟ ମଲିଆ
ବସିଗଲା
ଡେଙ୍ଗ ଗଛେ
******* *****
*****
ମକେ
ଧରେଇନେବ ମନ କଲେ।” (୩୭)
‘ମେରିଆ’ ଗଳ୍ପ ପରି ‘ସନାଙ୍ଗ
କାଡ୍ରାକାର ଠିକଣା’ ମଧ୍ୟ ପାଞ୍ଚ ପର୍ଯ୍ୟାୟରେ ସରଳୀକୃତ । ଯେପରି – (୧) ରଙ୍ଗିଗୁଡା ଗାଁ ଆଉ ପଥର ହୋଇ ଯାଇଥିବା ସନାଙ୍ଗ, (୨) ଧାଙ୍ଗୀଡି ଭେଟ ଓ ଡଙ୍ଗର ଚାଷର ବାସ୍ନା, (୩) ଦଲାରୀ ବୁଧୁ ନାୟକ ଓ କେବେ ଦେଖିନଥିବା ସ୍ଵପ୍ନର ଚେର,
(୪) ବାରହା ଡାକା ଓ କଳା ପୋଷାକଧାରୀ ନୁଆଁ ଲୋକ, (୫) ଅଜଣା ବିପଦ ସହ
ସାମ୍ନା ଓ ଦାନା ବାନ୍ଧୁଥିବା ଆନ୍ଦୋଳନ । ସନାଙ୍ଗ କାଡ୍ରାକା ଓ ବୁଧୁ ନାୟକ ପରି ଚରିତ୍ରର
ଚିତ୍ରାଙ୍କନ ଆଜିବି ଆଦିବାସୀ ବିମର୍ଶର କେନ୍ଦ୍ରୀୟ ଆକର୍ଷଣ। ମାଓ ସଂଗଠନ ଓ ତାଙ୍କ ବିଚାରଧରା
ସମ୍ବନ୍ଧରେ ସମ୍ୟକ ରେଖାଙ୍କନ କରିଥିବା ଏ ଗଳ୍ପ ତଥାକଥିତ ମୁଖ୍ୟ ସ୍ରୋତ ବୋଲାଉଥିବା ଆମ ସମାଜର
ମନୋଦୃଷ୍ଟି ପ୍ରତି ଗଭୀର ରେଖାପାତ କରେ। ସରଳ ତଥା ନିଷ୍କପଟ ଆଦିବାସୀଙ୍କ ମନୋବୈଜ୍ଞାନିକ
ବିଶ୍ଳେଷଣ କରିପାରୁଥିବା ଏ ଗଳ୍ପ ନିଶ୍ଚିତ ସ୍ଵତନ୍ତ୍ର ।
‘ଲେଞ୍ଜା ପାତରର ପାତିଧରା’
ପରି ଗଳ୍ପ ଡିଲେଶ୍ଵରଙ୍କ ମୌଲିକ ସୃଜନ ଦକ୍ଷତାର ପରିଚୟ ବହନ କରେ । ଆମ ଜନଜାତିଙ୍କ ପୂଜା-ପାଠ, ମନ୍ତ୍ର-ତନ୍ତ୍ର ସାଙ୍ଗକୁ ବ୍ୟକ୍ତିତ୍ବର ପରାକାଷ୍ଠା ବହନ କରୁଥିବା ଏ ଗଳ୍ପ
କେତେକାଂଶରେ ପାଠକଠୁ ଦୂରକୁ ଚାଲିଯାଏ। କହିବାର ଅର୍ଥ କିଛି ପ୍ରସଙ୍ଗର ଉଦ୍ଧରଣ ଅସ୍ପଷ୍ଟ
ଜଣାପଡେ । ଯେପରି ଗଳ୍ପର ମୁଖ୍ୟ କଥାବସ୍ତୁ ସଂଲଗ୍ନ ଚୋର ଧରା ବା ପାତିଧରା ପ୍ରସଙ୍ଗ ଅସ୍ପଷ୍ଟ
କିନ୍ତୁ ଜିଜ୍ଞାସାସମ୍ପର୍ଣ୍ଣ ମନେହୁଏ । ସାରାଂଶରେ କହିଲେ ପ୍ରାଚୀନ ସଂସ୍କୃତି, ଲୋକ ଗାଥା ଓ ମାନବୀୟ ବ୍ୟବହାର ସାଙ୍ଗକୁ ଲୁପ୍ତପ୍ରାୟ ବିଦ୍ୟା ଓ ତା ପ୍ରତି ଥିବା
ଆସ୍ଥା ଓ ବିଶ୍ଵାସକୁ କାହାଣୀଟି ଏକୀକୃତ କରେ ।
ବିରିପୁଙ୍ଗା ଗାଁର
ସୁନ୍ଦ୍ରୁ ଓ ସିଙ୍ଗାରୀର ପ୍ରେମ ଓ ବିଚ୍ଛେଦର
କରୁଣତା ସହିତ ଆଦିବାସୀ ସଭ୍ୟତା ପ୍ରତି ସରକାରଙ୍କ ଦୃଷ୍ଟିଭଙ୍ଗୀ ଓ ସୁନ୍ଦ୍ରୁ ସିକୋକାର
ମାଟିପ୍ରେମ ହିଁ ‘ଯେଉଁଠି
ସୁନ୍ଦ୍ରୁ ଶିକୋକାର ଗାଁ ଥିଲା’ ଗଳ୍ପର କେନ୍ଦ୍ରୀୟ ଆକର୍ଷଣ। ବିଦେଶୀ କମ୍ପାନୀଙ୍କ ଆଗମନ ଓ ଆଦିବାସୀ ଜୀବନ ପ୍ରତି
ଏହାର ପ୍ରଭାବ ପ୍ରସ୍ତୁତ ଗଳ୍ପର ସଂବେଦନାକୁ
ଅଧିକ ସ୍ପଷ୍ଟ ଓ ବିମର୍ଶଧର୍ମୀ କରିପାରିଛି ।
ଏତତବ୍ୟତୀତ ‘ବାପା’, ‘କାନ୍ଧ’, ଏବଂ ‘ଦାସରୁ ମାଝୀ ଓ
ଗୋଟେ ଖଣିଜଭର୍ତ୍ତି ଡଙ୍ଗରର କାହାଣୀ’ ପରି ଗଳ୍ପ ଡିଲେଶ୍ଵରଙ୍କ
ସମ୍ଭ୍ରାନ୍ତ ସୃଷ୍ଟି ପଛର ଗୋଟିଏ ଗୋଟିଏ ମାଇଲଖୁଣ୍ଟ । ଆଦିବାସୀ ଜନ-ଜୀବନ ସହିତ ବିଶେଷକରି
ଆଞ୍ଚଳିକ ଜନଜାତି ସମ୍ପର୍କୀୟ ତାଙ୍କ ବିଚାର ଦୃଷ୍ଟି ସର୍ବଥା ନୂତନ ଓ ଉତ୍ତମ ପ୍ରତୀତ ହୁଏ ।
ସାହିତ୍ୟରେ ପ୍ରାୟତଃ ଗୌଣ ରହୁଥିବା (କୁମ୍ଭକାର, ଗୋଣ୍ଡ, କମାର ଆଦି ବୃତ୍ତି ସମ୍ପନ୍ନ ) ଚରିତ୍ର
ସବୁ ତାଙ୍କ ଲେଖନୀରେ ଅଧିକ ପ୍ରଭାବିତ କରୁଥିବା ସ୍ପଷ୍ଟ ଲକ୍ଷ କରାଯାଇପାରେ ।
ଇତି ମଧ୍ୟରେ ତାଙ୍କର ‘ସେଁରରା’ ସଂକଳନର ଶେଷ
ଗଳ୍ପ ‘ଭୋକ’ ଅନେକ ଦୃଷ୍ଟିରୁ ପାଠକକୁ
ଚିନ୍ତନଧର୍ମୀ କରିବାର ସାମର୍ଥ୍ୟ ରଖେ । ପ୍ରାରମ୍ଭରେ ଅତ୍ୟନ୍ତ ସାଧାରଣ କଥାବସ୍ତୁସମ୍ପର୍ଣ୍ଣ
ବୋଧ ହେଉଥିଲେ ମଧ୍ୟ ଅନ୍ତିମ ପର୍ଯ୍ୟାୟର ସସପେନ୍ସ ଓ ମୁଖ୍ୟ ଚରିତ୍ର ବୁଢୀର ଜୀବନଶୈଳୀ ସହ
ପାଠକର ପରିଚୟ ହୁଏ । ପରିଚିତ ହୁଏ ଏଭଳି ଏକ ଜୀବନ ସହ ଯେଉଁଠାରୁ କରୁଣ ରସ ଆସ୍ଵାଦନ କରି ପାଠକ
ଏକ ଅସ୍ଵାଭାବିକ ସାମାଜିକ ସତ୍ୟତାକୁ ଅନୁଭବ କରିପାରେ । ଅନ୍ତର୍ବେଦନାକୁ ସାଂସାରିକ
ସୌନ୍ଦର୍ଯ୍ୟ ସହ ଏକାକାର କରିବାର କଳା ଏ ଗଳ୍ପର କଳାତ୍ମକ କୌଶଳ ରୂପେ ଉଦ୍ଭାସିତ। ନାରୀ ସୁରକ୍ଷା ପାଇଁ ସଚେତନ ଥିବା ସରକାରଙ୍କ ଦୃଷ୍ଟି ଏ ଗଳ୍ପର
ବାସ୍ତବିକତାକୁ ହୃଦୟଙ୍ଗମ କରିବାର ଆବେଦନ; ଗଳ୍ପକୁ ସାର୍ଥକତା ପ୍ରଦାନ କରିଛି। ସମସାମୟିକ ସମାଜରେ ନାରୀର ବାସ୍ତବିକ ସ୍ଥିତି
ସମ୍ବନ୍ଧରେ ଅନୁଧ୍ୟାନ କରୁଥିବା ଗବେଷକଙ୍କ ଦୃଷ୍ଟି ଏ ଗଳ୍ପର ଯଥାର୍ଥତାକୁ ଗମ୍ଭୀରତାର ସହ
ଅବଲୋକନ କରିବାକୁ ଆହ୍ଵାନ କରୁଛି ।
ବାସ୍ତବରେ ଡିଲେଶ୍ଵରଙ୍କ ଗଳ୍ପ
ସବୁ ଆଞ୍ଚଳିକ ଲୋକ ପରମ୍ପରା,
ରୀତି-ନୀତି, ଭାଷିକ ସୌନ୍ଦର୍ଯ୍ୟ ଏବଂ ସଂବେଦନାର ମୂଳ ଉତ୍ସକୁ
ରେଖାଙ୍କିତ କରେ। ଜନଜାତୀୟ ସଂସ୍କୃତିରେ ଜୀଇଁବାର ସଂଘର୍ଷକୁ ବ୍ୟାଖ୍ୟାୟିତ କରୁଥିବା ଗଳ୍ପ ସବୁ
ତାଙ୍କ ମୌଳିକତାର ପରିଚୟ ବହନ କରେ । ଆଞ୍ଚଳିକ ଲୋକ ଭାଷାର ପ୍ରୟୋଗ ତାଙ୍କ ବଳିଷ୍ଠ ଶବ୍ଦ
ସମ୍ଭାରକୁ ନୂତନତ୍ଵ ପ୍ରଦାନ କରେ । ତାଙ୍କ ଗଳ୍ପ ସବୁକୁ ହୃଦବୋଧ କରିବାକୁ ହେଲେ ଜଣେ ସାଧାରଣ
ପାଠକକୁ ନିଶ୍ଚିତ ଶ୍ରମ କରିବାକୁ ପଡିବ; ଏହିରେ ସନ୍ଦେହ ନାହିଁ ।
********************
Comments
Post a Comment