ମଧ୍ୟକାଳୀନ ଓଡ଼ିଆ କୋଇଲି ସାହିତ୍ୟ
ମଧ୍ୟକାଳୀନ ଓଡ଼ିଆ କୋଇଲି
ସାହିତ୍ୟ
@ଦିବ୍ୟ
ରଞ୍ଜନ ସାହୁ
ପ୍ରାଚୀନ ଓଡିଆ ସାହିତ୍ୟରେ
ବାର୍ତ୍ତାଧର୍ମୀ ଚଉତିଶା ମଧ୍ୟରେ ‘କୋଇଲି-ସାହିତ୍ୟ’ର ରହିଛି ସମୁର୍ଣ୍ଣ ବୈଭବମୟ କଳାକୃତି। ସଂସ୍କୃତ ଦୂତ-କାବ୍ୟ ପରମ୍ପରାରେ ‘କୋଇଲି’ ଏକ ସ୍ଵତନ୍ତ୍ର ଭୂମିକା ଗ୍ରହଣ କରିଥିବା ମନେହୁଏ ।
ମଧ୍ୟକାଳୀନ ଭାରତୀୟ ହିନ୍ଦୀ କବିତାକୁ ଅନୁଧ୍ୟାନ କଲେ ମଧ୍ୟ ଜଣାପଡ଼େ ଯେ ଓଡିଆ କୋଇଲି ସାହିତ୍ୟ
ଭଳି ‘ଭ୍ରମର ସାହିତ୍ୟ’ (ଭ୍ରମର ଗୀତ)ରେ
ରହିଛି ଦୂତ ଓ ପ୍ରତୀକର ବାର୍ତ୍ତାବହ ଅଭିବ୍ୟକ୍ତି । ଓଡିଆ ସାହିତ୍ୟରେ କୋଇଲିକୁ ସମ୍ବୋଧନ କରି ଅନେକ
ଲୋକପ୍ରିୟ ରଚନା ଦେଖିବାକୁ ମିଳିଥାଏ। ପ୍ରାୟତଃ ଚଉତିରିଶଗୋଟି ବ୍ୟଞ୍ଜନ ବର୍ଣ୍ଣ କ୍ରମରେ
ଲେଖାଯାଉଥିବା ଏହି କୋଇଲି କବିତାର ଆବେଦନ ନିଶ୍ଚିତ ସାର୍ବଜନୀନ ।
କୋଇଲି ସାହିତ୍ୟର ଇତିହାସ ଖୋଜିଲେ
ଜଣାଯାଏ ମାର୍କଣ୍ଡ ଦାସଙ୍କ ‘କେଶବ
କୋଇଲି’ ସମ୍ଭବତଃ ଏହାର ପ୍ରଥମ ସାର୍ଥକ ସୃଷ୍ଟି। ଏହାର ଭାଷା ଯେତେ
ସରଳ, ଏହାର ପ୍ରକାଶଭଙ୍ଗୀ ଏହାଠୁ ଅଧିକ ଦୃଦୟସ୍ପର୍ଶୀ । ବାତ୍ସଲ୍ୟ-ସିକ୍ତ
ମାତୃ ହୃଦୟର ବିକଳ ବିଳାପ ହିଁ ‘କେଶବ କୋଇଲି’କୁ ଦେଇଛି ଅଜସ୍ର ପାଠକୀୟ ଶ୍ରଦ୍ଧା ।
ଓଡିଆ କୋଇଲି ସାହିତ୍ୟ ପରମ୍ପରାରେ
ମାର୍କଣ୍ଡ ଦାସଙ୍କ ‘କେଶବ
କୋଇଲି’, ବଳରାମ ଦାସଙ୍କ ‘କାନ୍ତ କୋଇଲି’, ‘ଶ୍ରୀରାମ କୋଇଲି’, ଜଗନ୍ନାଥ
ଦାସଙ୍କ ‘ଅର୍ଥ କୋଇଲି’, ଶଙ୍କର ଦାସଙ୍କ ‘ବାରମାସୀ କୋଇଲି’, ତ୍ରିଲୋଚନ ଦାସଙ୍କ ‘ଦୟାସାଗର କୋଇଲି’, ଲୋକନାଥଙ୍କ ‘ଜ୍ଞାନଦୋୟ
କୋଇଲି’, ବୈରାଗୀ ଦାସଙ୍କ ‘ଶିଶୁବେଦ କୋଇଲି’, କାଶୀ ବାସନ୍ତିଆଙ୍କ ‘ବନବାସ କୋଇଲି’, ଚଇତନ ଦାସଙ୍କ ‘କୋଇଲି’,
ରାମକୃଷ୍ଣଙ୍କ ‘ଯଶୋଦା କୋଇଲି’, ଗୋପାଳ କୃଷ୍ଣଙ୍କ
‘କୋଇଲି’, ବିପ୍ର ଭାଗିରଥିଙ୍କ ‘ବାତ୍ସଲ୍ୟ କୋଇଲି’, ଜଗନ୍ନାଥ ଦ୍ଵିଜଙ୍କ ‘ବାଇମନ କୋଇଲି’, ‘ଯୁଗଧର୍ମ କୋଇଲି, ‘ଦଶାବତାର କୋଇଲି’, ଜଗତେଶ୍ଵର
ଭଞ୍ଜଙ୍କ ‘ମନ୍ଦୋଦରୀ କୋଇଲି’ ଆଦି ଅନ୍ୟତମ । ଓଡ଼ିଆ କୋଇଲି ସାହିତ୍ୟର ପରମ୍ପରା ଯଦିଓ
ଏତେ ସମୃଦ୍ଧ ନୁହେଁ ତଥାପି କେତୋଟି କୋଇଲି କବିତା ନିଜର ପୌରାଣିକ କଥାବସ୍ତୁ ମାଧ୍ୟମରେ ଭକ୍ତି
ରସ ଓ ବାତ୍ସଲ୍ୟାଦି ଭାବକୁ ନିଜ ଭିତରେ ଆତ୍ମସାତ କରିପାରିଛି।
ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’ କବିତାରେ
ମାତା ଯଶୋଦା କାହିଁକି କୋଇଲିକୁ ହିଁ ନିଜ ବେଦନା ଶୁଣାଇଲେ ? ଏପରି
ଜିଜ୍ଞାସାର ଉତ୍ତରରେ ଅନେକ ଆଲୋଚକ କୁହନ୍ତି – ପୁତ୍ର କୃଷ୍ଣ ଏବଂ କୋଇଲି ଦେହର ରଙ୍ଗ ଓ ଗୁଣ
ଅନେକାଂଶରେ ସମାନ। ଏପରି ଯୁକ୍ତି କିନ୍ତୁ ପ୍ରତ୍ୟେକ କୋଇଲି ରଚନାରେ ତର୍କସଙ୍ଗତ ହୋଇପାରେ
ନାହିଁ ।
ସଂସ୍କୃତରେ ମେଘ ଓ ହଂସକୁ ଦୂତ
ରୂପରେ ବାର୍ତ୍ତା ପଠେଇବା ଭଳି ଓଡିଆ ସାହିତ୍ୟରେ ଚିଟାଊ ବହୁ ପୂର୍ବରୁ କୋଇଲିକୁ ମାଧ୍ୟମ କରି
ବାର୍ତ୍ତାବହ ରୂପେ କୋଇଲି ସାହିତ୍ୟର ସୃଷ୍ଟି। ମୋଟ ଉପରେ କହିବାକୁ ଗଲେ କୋଇଲି ସାହିତ୍ୟକୁ
ପ୍ରସିଦ୍ଧି ଦେଇଛି ତାହାର ଭାବ ଓ ସାଙ୍ଗୀତିକତା । ତେଣୁ କୋଇଲି ମାଧ୍ୟରେ କବି ଅଶ୍ରୁସିକ୍ତ ହୃଦୟର
ଅକୁହା କଥା ସବୁ ପ୍ରକାଶ କରିବାକୁ ସଫଳ ଚେଷ୍ଟା କରିପାରିଛି ।
ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’ରେ ପୁତ୍ର
ବିଚ୍ଛେଦ ଜନିତ ଦୁଃଖରେ ଭାଙ୍ଗି ପଡିଥିବା ମାଆଟିର ଦାରୁଣ ଦୁଃଖ ପ୍ରକାଶ ପାଇଛି । ମାତା ଯଶୋଦା
ଏଠାରେ କେବଳ ପୌରଣିକ ଚରିତ୍ରଟିଏ ନୁହନ୍ତି ବରଂ ସବୁ ମାଆ ଭଳି ସନ୍ତାନ ପ୍ରତି ରହିଥିବା
ଅସରନ୍ତି ମମତା ଓ ବାତ୍ସଲ୍ୟତାର ବାର୍ତ୍ତାବହ । କୋଇଲିକୁ ଦେଖି ନିଜ ସବୁ ଦୁଖ ଭିତରେ ସେ ସତେ
ଯେମିତି ନିଜକୁ ନିଜେ ଆଶ୍ବସ୍ଥି ଦେଇଛନ୍ତି। ମାଆର ଆଶାକୁ ଭାଙ୍ଗିଥିବା ପୁଅ ଉଦ୍ଦେଶ୍ୟରେ
କୋଇଲିକୁ ତେଣୁ କହୁଛନ୍ତି –
“କୋଇଲି
ଥନ ଭାଙ୍ଗି କ୍ଷୀର ମାନ ଦେଲି
ଥବିର
କାଳକୁ ପୁତ୍ର ଦେଖି ନ ପାରିଲି ଲୋ କୋଇଲି।”
ତେଣୁ ମାଆ ମନର କୋହ ସହ ସମାଜକୁ
ଲଙ୍ଘନ କରିଯିବାର ସାହାସକୁ ନେଇ ମଧ୍ୟ ଯଶୋଦା କୁହନ୍ତି –
“ମଥୁରାକୁ
ଯିବି ମୁଁ କି ଧାଇଁ
ମାଧବ ମଧୁସୂଦନ ଆଣିବି କଢାଇ ଲୋ, କୋଇଲି !”
ବଳରାମ ଦାସଙ୍କ ‘କାନ୍ତ କୋଇଲି’ ଓ ‘ଶ୍ରୀରାମ କୋଇଲି’ରେ ଯଥାକ୍ରମେ ସୀତା ଓ କୌଶଲ୍ୟାଙ୍କ ଦୃଦାୟର
ଶୋକ ଓ ବିଳାପ ପ୍ରକାଶିତ ହୋଇଛି । ରାବଣ ଦ୍ଵାରା ଅପହୃତା ସୀତା କୋଇଲି ଆଗରେ ନିଜ ଦୁଃଖ କାହାଣୀ
ବଖାଣିଛନ୍ତି, ଯଥା –
“କୋଇଲି, ଠିକ କଥା ଜାଣି ନପାରିଲି
ଠକ
ଯତି କରି ପୁଣି ଫଳ ଭିକ୍ଷା ଦେଲି ଲୋ,
କୋଇଲି !”
ଏହି କୋଇଲି ରଚନାରେ ସୀତାଙ୍କ
ଦୁଃଖ ସହିତ କାନ୍ତ ବାସ ସ୍ଵାମୀ ପ୍ରତି ଥିବା ଗଭୀର ଆସ୍ଥା ମଧ୍ୟ ଦେଖା ଯାଇଛି । ସୀତାଙ୍କ ବିଶ୍ଵାସ
ରହିଛି – ରାମ ନିଶ୍ଚୟ ଦୁଷ୍ଟ ରାବଣ ପାଖକୁ ନିଜ ପତ୍ନୀକୁ ଉଦ୍ଦାର କରିନେବେ । ସେହିପରି ‘ଶ୍ରୀରାମ କୋଇଲି’ରେ ମାତା
କୌଶଲ୍ୟାଙ୍କ ମାତୃ ହୃଦୟର ଶୋକ ପ୍ରକାଶିତ ହୋଇଛି। ରାଜପୁତ୍ରର ଜୀବନ ବନବାସ ମଧ୍ୟରେ କିଭଳି
କଟିବ ସେ ନେଇ ମନର ଦୁଃଶ୍ଚିନ୍ତାକୁ କୋଇଲି ସମ୍ବୋଧନ କରି ପ୍ରକାଶ କରିଛନ୍ତି । ପୁଣି ଶ୍ରୀରାମଙ୍କ
ବାର୍ତ୍ତା କୋଇଲି ପାଖରୁ ଶୁଣିବା ପାଇଁ ମାତା କୌଶଲ୍ୟା କହିଛନ୍ତି –
“କୋଇଲି
ଲୋ, ହସି ମତେ କହୁକି ନା ବାଣୀ
ହୃଦରୁ
ବେଦନା ଯାଉ ଶ୍ରୀରାମ କଥା ଶୁଣି ଲୋ”
ଅନ୍ୟାନ୍ୟ କୋଇଲି ରଚନା ଅପେକ୍ଷା
ଜଗନ୍ନାଥ ଦାସଙ୍କ ‘ଅର୍ଥ
କୋଇଲି’ ସ୍ଵତନ୍ତ୍ର ମନେହୁଏ । ଏହା ମାର୍କଣ୍ଡ ଦାସଙ୍କ ଲିଖିତ ‘କେଶବ କୋଇଲି’ ଉପରେ ଲିଖିତ ଏକ ପଦ୍ୟ ବନ୍ଧ ଟୀକା ।
ପ୍ରତ୍ୟେକ ପଦକୁ ବ୍ରହ୍ମଜ୍ଞାନ ଦୃଷ୍ଟିରୁ ଟୀକା କରି ଏକ ଅଭିନବ ଅର୍ଥ ପ୍ରକାଶ କରାଯାଇଛି ।
ଏଥିରେ ଭାବ ସାନ୍ଧ୍ରତା ନାହିଁ, ବରଂ ରହିଛି ପିଣ୍ଡ-ବ୍ରହ୍ମାଣ୍ଡ
ତତ୍ଵର ସୂକ୍ଷ୍ମ ଆଲୋଚନା। କୋଇଲିକୁ ଏଠାରେ କବି ଜୀବ ବା ଆତ୍ମା ଦୃଷ୍ଟିରୁ ବିବେଚନା କରିଛନ୍ତି
। ଗୀତା ଭଳି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମୁଦାୟ କୋଇଲିର ପଦ ଗୁଡିକୁ ବ୍ୟାଖ୍ୟା କରିଛନ୍ତି ।
ଅର୍ଜୁନର ଜିଜ୍ଞାସା ଓ ଶ୍ରୀକୃଷ୍ଣଙ୍କ ଉତ୍ତର ଓ ଆଲୋଚନା ଏହି କବିତାରେ ସୂକ୍ଷ୍ମ ଭୂମି ।
ଶ୍ରୀକୃଷ୍ଣଙ୍କ ମୁଖରେ କବି ଗହନ ବୃନ୍ଦାବନର ରହସ୍ୟ ଭେଦ କରି କହିଛନ୍ତି –
“ଗହନ
ବୋଲି ପାର୍ଥ ଜୀବକୁଟି କହି
ଗୋପପୁର
ଦେହ ଗୋଟା ଶୋଭା ପାଉ ନାହିଁ।”
ପିଣ୍ଡକୁ
ପରମ ଯହୁଁ ଛାଡିକରି ଗଲା,
ତେଣୁକରି
ପିଣ୍ଡ ଗୋଟା ଭୂମିରେ ପଡିଲା॥”
‘କେଶବ କୋଇଲି’ ପରେ ଶଙ୍କର
ଦାସଙ୍କ ‘ବାରମାସୀ କୋଇଲି’ର ଏକ ଲୋକପ୍ରିୟ
ପ୍ରସିଦ୍ଧି ରହିଛି । ଏହା ଚଉତିଶା ନିୟମରେ ରଚିତ ହୋଇନାହିଁ । ତେଣୁ ଏହା କୋଇଲି ସାହିତ୍ୟରେ ଏକ
ବ୍ୟତିକ୍ରମ । ରାମଚନ୍ଦ୍ରଙ୍କ ଭାବନାରେ ଅସ୍ଥିର ହେଉଥିବା ସନ୍ତାନ ବତ୍ସଳା କୌଶଲ୍ୟା ମାର୍ଗଶୀର
ମାସଠାରୁ ଆରମ୍ଭ କରି କେଉଁ ମାସରେ କି କି ଅସୁବିଧାର ସମ୍ମୁଖୀନ ଜଣେ ବନବାସୀ ହୋଇପାରେ ତାହା
କୋଇଲି ଆଗରେ ପ୍ରାକାଶ କରି ଦୁଖ ପ୍ରକାଶ କରିଛନ୍ତି । ଅତିଶୟ ମର୍ମାହତ ହୋଇ କହିଛନ୍ତି –
“ ବଇଶାଖ ଖରା ଚାହିଁ
ବାହାରକୁ ନୋହେ ଯାଇ,
କେଉଁ ବୃକ୍ଷ ମୂଳେ
ଜୀବନ ବିକଳେ ଥିବ ମୋର ପୁତ୍ର ରହି ଲୋ,
କୋଇଲି ଶୁଣ ଲୋ”
କାଶୀ ବସନ୍ତିଆଙ୍କ ‘ବନବାସ କୋଇଲି’, ବଳରାମ
ଦାସଙ୍କ ‘ଶ୍ରୀରାମ କୋଇଲି’ର ଅବଲମ୍ବନରେ
ରଚିତ ବୋଲି ଜଣାପଡେ । ଏଥିରେ ମଧ୍ୟ ସ୍ନେହମୟୀ କୌଶଲ୍ୟା ସମ୍ମୁଖରେ କୋଇଲିକୁ ଦେଖି ନିଜ ପୁତ୍ର
କଥା ମାନେ ପକାଇଛନ୍ତି –
“କୋଇଲି, ହସି ମତେ କହୁ କି ନା କଥା ଆଲୋ
ହୃଦରୁ
ଛାଡିବେ ମୋର ବନବାସ ଚିନ୍ତା ଲୋ,
କୋଇଲି”
ଚଇତନ ଦାସଙ୍କ ‘କୋଇଲି’, ରାମକୃଷ୍ଣ
ଦାସଙ୍କ ‘ଯଶୋଦା କୋଇଲି’, ଗୋପାଳ କୃଷ୍ଣଙ୍କ ‘କୋଇଲି’ରେ ମାତା ଯଶୋଦାଙ୍କର କୋଇଲି ଆଗରେ ଶ୍ରୀକୃଷ୍ଣଙ୍କ
ଗୁଣଗାନ ବର୍ଣିତ ହୋଇଛି।
ଜଗତେଶ୍ଵର ଭଞ୍ଜଙ୍କ ‘ମନ୍ଦୋଦରୀ କୋଇଲି’ରେ
ମନ୍ଦୋଦରୀ ଓ ରାବଣର ଉକ୍ତି ପ୍ରତ୍ୟୁକ୍ତି ବର୍ଣ୍ଣିତ । ପ୍ରାଣ ପ୍ରିୟ ସ୍ଵାମୀଙ୍କ ହିତ
ଚିନ୍ତାରେ ପତ୍ନୀ ମନ୍ଦୋଦରୀଙ୍କ ଆଶଙ୍କା ପ୍ରକାଶ ପାଇଛି କବିତାରେ –
“ଠାକୁର ଶ୍ରୀରାମ ଅଟନ୍ତି ବିଷ୍ଣୁ
ଠିକେ ଜାଣିଲି ମୁଁ ଆଇଲା ଦିନୁ।
ଅନ୍ୟ ପକ୍ଷରେ ରାବଣ କହିଛି –
“ଡରାଇ ସଖୀ ଗୋ କେତେ କହୁଛ
ଡାଳର ମ୍ରକଟେ ଅଟନ୍ତି ଭକ୍ଷ ॥”
ତ୍ରିଲୋଚନ ଦାସଙ୍କ ‘ଦୟାସାଗର କୋଇଲି’,
ଲୋକନାଥଙ୍କ ‘ଜ୍ଞାନଦୋୟ କୋଇଲି’ ଓ ବୈରାଗୀ
ଦାସଙ୍କ ‘ଶିଶୁବେଦ କୋଇଲି’ରେ ପିଣ୍ଡ –
ବ୍ରହ୍ମାଣ୍ଡର ସୂକ୍ଷ୍ମ ତତ୍ତ୍ଵ ଉପରେ ଆଧାରିତ ।
ମୋଟ ଉପରେ କହିବାକୁ ଗଲେ ‘କୋଇଲି ସାହିତ୍ୟ’ ଭାରତୀୟ କାବ୍ୟ ପରମ୍ପରାର ଏକ ପ୍ରତୀକାତ୍ମକ ମୌଳିକ ସୃଷ୍ଟି। ମଧ୍ୟକାଳୀନ ଓଡିଆ କାବ୍ୟାକାଶରେ ତଥା ସମ୍ବେଦନାର ଗଭୀର ପ୍ରଦେଶରେ ପଲ୍ଲବିତ ହୋଇଥିବା ଏପରି କାବ୍ୟାଭିବ୍ୟକ୍ତି ସହଜରେ ଅନ୍ୟ କୌଣସି ସାହିତ୍ୟରେ ଦେଖିବାକୁ ମିଳେନାହିଁ। ‘କୋଇଲି’ ଜୀବନର କୁହୁତାନର ପ୍ରତୀକ। କେତେବେଳେ ପୁତ୍ର କୃଷ୍ଣ ତ କେତେବେଳେ ସ୍ଵାମୀ ରାମ ପୁଣି କେତେବେଳେ ଶୂନ୍ୟ ବ୍ରହ୍ମ ରୂପରେ ନିଜ କଳେବରକୁ କରିଆସିଛି ସ୍ଵତନ୍ତ୍ର ତଥା ବୈଚିତ୍ର୍ୟମୟ ।
__________________
#ସହାୟକ ଉତ୍ସ - ଓଡ଼ିଆ ସାହିତ୍ୟ
Comments
Post a Comment