“ଜଣେ ନାରୀ ନିଜକୁ ଲେଖିବା ଓ ପୁରୁଷଟିଏ ନାରୀ ସମ୍ପର୍କରେ ଲେଖିବା କିପରି ଏକା କଥା ହୋଇପାରିବ?” @ଅପର୍ଣ୍ଣା ମହାନ୍ତି
“ଜଣେ
ନାରୀ ନିଜକୁ ଲେଖିବା ଓ ପୁରୁଷଟିଏ ନାରୀ ସମ୍ପର୍କରେ ଲେଖିବା କିପରି ଏକା କଥା ହୋଇପାରିବ?” @ଅପର୍ଣ୍ଣା ମହାନ୍ତି
( ସୁପ୍ରସିଦ୍ଧ ନାରୀ କବି ଅପର୍ଣ୍ଣା ମହାନ୍ତିଙ୍କ ସହ ଦିବ୍ୟ ରଞ୍ଜନ
ସାହୁଙ୍କ ବାର୍ତ୍ତାଳାପ)
ଦିବ୍ୟ ରଂଜନ ସାହୁ :
ସମକାଳୀନ (ସାଂପ୍ରତିକ) ଓଡ଼ିଆ କବିତାର କାଳ-ନିର୍ଦ୍ଧାରଣକୁ ନେଇ ଆଲୋଚକଙ୍କ ମଧ୍ୟରେ
ଭିନ୍ନ-ଭିନ୍ନ ଧାରଣା ପ୍ରଚଳିତ, ଆପଣ କିନ୍ତୁ ସମକାଳୀନ
କବିତାର ଆରମ୍ଭ କେଉଁଠାରୁ ସ୍ଵୀକାର କରନ୍ତି ?
ଅପର୍ଣ୍ଣା ମହାନ୍ତି
: ୧୯୮୦ ମସିହାର ପରବର୍ତ୍ତୀ ସମୟରୁ ରଚିତ ଓଡ଼ିଆ କାବ୍ୟଧାରାକୁ ସମକାଳୀନ
ଓଡ଼ିଆ କବିତା ଭାବରେ ଗ୍ରହଣ କରାଯାଇପାରେ ।
ଦିବ୍ୟ ରଂଜନ ସାହୁ : ସମକାଳୀନ ଓଡ଼ିଆ କବିତା ସମ୍ବନ୍ଧରେ ଆପଣଙ୍କ
ଅଭିପ୍ରାୟ କ’ଣ ? କବି ହେବା ସହିତ ଜଣେ
ସମାଲୋଚକ ଭାବରେ ଆପଣ ପୂର୍ବବର୍ତ୍ତୀ କବିତାଠାରୁ ସମକଳୀନ ଓଡ଼ିଆ କବିତାର ବିଭାଜନକୁ କେଉଁ ରୂପରେ
ଦେଖନ୍ତି ?
ଅପର୍ଣ୍ଣା ମହାନ୍ତି : ପ୍ରାଚୀନ, ମଧ୍ୟଯୁଗୀୟ କବିତାର ପୁରାଣ, ରୀତି, ଅଳଙ୍କାର ଆଦିର ଅବଲମ୍ବନ, ଏହାର ସାଙ୍ଗୀତିକତା ତଥା ଆଧୁନିକ ଯୁଗର ପ୍ରାରମ୍ଭରେ ରହସ୍ୟବାଦ, ଛାୟାବାଦ, ସ୍ଥିତିବାଦ,
ଦୁର୍ବୋଧ୍ୟତା ଆଦି ଆଙ୍ଗିକ/ଆତ୍ମିକ ଶୈଳୀ ଭାବରୁ ମୁକ୍ତ ହୋଇ ସମକାଳୀନ ଓଡ଼ିଆ କବିତା କବିର
ଅନ୍ତଃ ଓ ବହିର୍ପୃଥିବୀକୁ ସହଜ, ସରଳ,
ଆନ୍ତରିକ ଓ ଛଳନାହୀନ ଭାବେ ଚିହ୍ନିବାକୁ-ଚିହ୍ନେଇବାକୁ ଚେଷ୍ଟା କଲା । କବିତା ଆଉ ଭାବବିଳାସ
ନହୋଇ ଜୀବନଚର୍ଯ୍ୟାରେ ରୂପାନ୍ତରିତ ହେଲା । କବିତାରେ ସାଧାରଣ ମଣିଷ,
ମାଟି, ପ୍ରକୃତି, ଦଳିତ, ନାରୀ, ଦାଦନ, ବିସ୍ଥାପନ, ଶରଣାର୍ଥୀ, ଗୃହଯୁଦ୍ଧ ପରେ ମଣିଷର ପ୍ରତ୍ୟେକ ସମସ୍ୟା
ମୁକ୍ତ ଓ ସଂବେଦନଶୀଳ ଭାବରେ ପ୍ରକାଶିତ ହେଲା। ସାଧାରଣ ମଣିଷ ନିଜର ମନ ଗହନର ଯେଉଁ ଆଶା/ଅଭିଳାଷ
ଓ ବ୍ୟଥା/ଆନନ୍ଦକୁ ଏଯାବତ୍ ଲୁଚାଇ ରଖିଥିଲା, ତାହା କବିତାରେ ସ୍ପଷ୍ଟ
ହେବାକୁ ଲାଗିଲା । ଏ ସବୁ ଦୃଷ୍ଟିରୁ ପୂର୍ବବର୍ତ୍ତୀ ଓଡ଼ିଆ କବିତାଠାରୁ ସମକାଳୀନ ଓଡ଼ିଆ କବିତାର
ଭିନ୍ନତା ବାରି ହୋଇ ପଡିଲା ।
ଦିବ୍ୟ ରଂଜନ ସାହୁ : ନିଜର ରଚନା-ପ୍ରକ୍ରିୟା ବାବଦରେ ଆପଣ କ’ଣ କହିବାକୁ ଚାହିଁବେ ?
ଅପର୍ଣ୍ଣା ମହାନ୍ତି : ନିଜର
ରଚନା-ପ୍ରକ୍ରିୟାକୁ ନେଇ ମୁଁ କେବଳ ଏତିକି କହିବି ଯେ – ଏକ ପିତୃପ୍ରଧାନ ସମାଜ ବ୍ୟବସ୍ଥାରେ
ଜଣେ ନାରୀ ଭାବରେ ମୁଁ ଯେପରି ଜୀବନ ବଞ୍ଚିଛି ତାକୁ ହିଁ ନିଃଶଙ୍କୋଚରେ କବିତାରେ କହିବାକୁ
କହିବାକୁ ଚେଷ୍ଟା କରିଛି। ତଥାକଥିତ ସତୀତ୍ଵ ଓ ନାରୀ ନିର୍ଦ୍ଧିଷ୍ଟ ବହୁରୂଢି ଭିତରୁ ମୋ
କବିତାକୁ ମୁକ୍ତ ରଖିବାର ପ୍ରୟାସ କରିଛି । ମୋଟାମୋଟି ନାରୀର ଦେହ-ମନ-ଯୌନର ମୁକ୍ତି ପାଇଁ ମୋ
କବିତାର ସ୍ଵର ସବୁବେଳେ ବ୍ୟାକୁଳ ଓ ମୁଖର ହୋଇଛି। ପରମ୍ପରା ବା ମର୍ଯ୍ୟାଦା ଆଳରେ ନାରୀ ଉପରେ
ଲଦି ଦିଆ ଯାଇଥିବା କଟକଣା ବିରୁଦ୍ଧରେ ମୋ କବିତା ପ୍ରତିବାଦ କରିଛି।
ଦିବ୍ୟ ରଂଜନ ସାହୁ: ଆପଣଙ୍କ ସମୟର କିଛି ସମାଲୋଚକ ଏବଂ ରଚନାକାରଙ୍କ ମନ୍ତବ୍ୟ ଯେ ପୁରୁଷଙ୍କ
ଦ୍ଵାରା ଲେଖାଯାଇଥିବା ନାରୀ ଜୀବନ ସମ୍ପର୍କିତ କବିତା ଗୁଡିକରେ ନାରୀ ମନର ବିଜ୍ଞାନକୁ ଠିକ-ଠିକ
ଭାବେ ବ୍ୟାଖ୍ୟାୟିତ କରାଯାଇପାରି ନାହିଁ । ରଚନାତ୍ମକ ସଂବେଦନାର ଧରାତଳରେ ଆପଣ ନିଜ ସମୟର ନାରୀ
କବିଙ୍କ ତୁଳନାରେ ପୁରୁଷ କବିଙ୍କ ନାରୀ-ବିଷୟକ ଦୃଷ୍ଟିଭଙ୍ଗୀକୁ କେଉଁ ରୂପରେ ଦେଖନ୍ତି ?
ଅପର୍ଣ୍ଣା ମହାନ୍ତି : ଶାସ୍ତ୍ର-ପୁରାଣ ପାଖରୁ ଆଜି ପର୍ଯ୍ୟନ୍ତ ପୁରୁଷ ଲେଖକମାନେ ନିଜକୁ
ନାରୀ ମନେକରି – ନାରୀ ଚରିତ୍ର ସୃଷ୍ଟି କରିଛନ୍ତି, ନାରୀ ସମ୍ପର୍କରେ ଲେଖିଛନ୍ତି । ଏହା ମଧ୍ୟ ସତ୍ୟ ଯେ ନାରୀ ନିଜ
ସମ୍ପର୍କରେ ଲେଖିବା ବେଳେ ପୁରୁଷମାନଙ୍କ ପରି ଶକ୍ତିଶାଳୀ ଚରିତ୍ର ସୃଷ୍ଟି କରିବାରେ ଅନେକ
କ୍ଷେତ୍ରରେ ବିଫଳ ହୋଇଛି । ଜଣେ ପୁରୁଷ ସମାଜରେ ପାଉଥିବା ମୁକ୍ତ ମାନସିକତା ଓ ଶଙ୍କାଶୂନ୍ୟତା
ଯୋଗୁଁ ତାର ସୃଷ୍ଟିରେ ତା’ର ନିଜସ୍ୱ ପ୍ରତିଫଳିତ ହୁଏ, ଯାହାକି ଲେଖିକା ମାନଙ୍କ କ୍ଷେତ୍ରରେ କ୍ଵଚିତ ଦେଖାଯାଏ। କିନ୍ତୁ ଜଣେ ନାରୀ ନିଜକୁ
ଲେଖିବା ଓ ପୁରୁଷଟିଏ ନାରୀ ସମ୍ପର୍କରେ ଲେଖିବା କିପରି ଏକା କଥା ହୋଇପାରିବ ?
ଦିବ୍ୟ ରଂଜନ ସାହୁ
: ପିତୃସତ୍ତାର ଆହ୍ଵାନଗୁଡିକ
ମଧ୍ୟରେ ଆପଣଙ୍କ ସମୟର କବିତାସବୁ ସାମନ୍ତବାଦୀ ମୂଲ୍ୟ ଏବଂ ଢାଞ୍ଚାଗତ ରୂଢି ବିରୁଦ୍ଧରେ ସଂଘର୍ଷ
କରିବାକୁ କେତେ ଦୂର ସମର୍ଥ ?
ଅପର୍ଣ୍ଣା ମହାନ୍ତି : ପିତୃପ୍ରଧାନ ସମାଜବ୍ୟବସ୍ଥାର ରୂଢିବାଦ ଭିତରୁ
ଲେଖିକାଟିଏ ମୁକୁଳିବା ଆଦୌ ସହଜ ନୁହେଁ। କାରଣ ଯୁଗ-ଯୁଗ ଧରି ସମାଜରେ ନାରୀର ନ୍ୟୁନତାବୋଧକୁ
ହିଁ ସ୍ଵୀକୃତି ଦିଆଯାଇଛି ଓ ଏହାକୁ ନାରୀ ନିଜର ନାରୀ-ଧର୍ମ ବୋଲି ଗ୍ରହଣ ମଧ୍ୟ କରିନେଇଛି । ପରିବାରବାଦକୁ
ପୁରୁଷ ତୁଳନାରେ ନାରୀ ଅଧିକ ଶ୍ରଦ୍ଧା-ସମ୍ମାନ କରେ । ତାର ସହଜାତ ମମତ୍ଵବୋଧ ଏହାର କାରଣ । ତେଣୁ
ପରିବାର ଭାଙ୍ଗିଯିବା ଭୟରେ ନାରୀ ଉଗ୍ର ଓ ପ୍ରତିକ୍ରିୟାଶୀଳ ହୋଇ ପାରେନା । ସମକାଳର କବିତାରେ ଏ
ପ୍ରସଙ୍ଗରେ ତେଣୁ କିଛି ଅସାମର୍ଥ୍ୟ ରହିଯିବା ଅସ୍ଵାଭାବିକ ନୁହେଁ । କିନ୍ତୁ ତା’ରି ଭିତରେ ପିତୃସତ୍ତାର ଅବିଚାର ଓ ନାରୀ ଶୋଷଣ ବିରୋଧରେ ଯେଉଁ ସଂଘର୍ଷର ସ୍ଵରଟି ଆଜି
ସ୍ପଷ୍ଟ ହେଉଛି ତାହା କିନ୍ତୁ କମ ଗୁରୁତ୍ୱପୂର୍ଣ୍ଣ ନୁହେଁ ।
ଦିବ୍ୟ ରଂଜନ ସାହୁ : ଆପଣ ନିଜର ଅନେକ କବିତାରେ ମିଥ୍ ର ପ୍ରୟୋଗ କରିଛନ୍ତି। ଆପଣଙ୍କ
ବିଚାରାନୁଯାୟୀ ନାରୀ ବିମର୍ଶର ଆଲୋକରେ ମିଥକୀୟ ଚରିତ୍ର ଗୁଡିକର କ’ଣ ପ୍ରାସଙ୍ଗିକତା ରହିଛି ?
ଅପର୍ଣ୍ଣା ମହାନ୍ତି : ହଁ, ସୀତା, ସାବିତ୍ରୀ, ଅହଲ୍ୟା, କୁନ୍ତୀ, ତାରା, ମନ୍ଦୋଦରୀ, ଗଙ୍ଗା, ଦ୍ରୌପଦୀ ଆଦି ପୁରାଣର ନାରୀ ମାନଙ୍କୁ ନୂତନ
ଦୃଷ୍ଟିକୋଣରୁ ଦେଖିବାର ଆବଶ୍ୟକତା ଆଜି ଅତ୍ୟନ୍ତ ଜରୁରୀ । ନାରୀକୁ କେବଳ ସତୀତ୍ଵ ଆଧାରରେ
ମୂଲ୍ୟ ଦେଉଥିବା ପିତୃପ୍ରଧାନ ସମାଜ, ତାକୁ ତାର ବ୍ୟକ୍ତିତ୍ଵ ଆଧାରରେ
ମୂଲ୍ୟାୟନ କରିବା ଏବେ ପ୍ରାସଙ୍ଗିକ ହୋଇପଡିଛି।
ଦିବ୍ୟ ରଂଜନ ସାହୁ : ମୋଟାମୋଟି ଦେଖିବାକୁ ଗଲେ ୧୯୮୦ ଦଶକ ପର ଠାରୁ ନାରୀ-ବିମର୍ଶ ଭଳି
ସଂକଳ୍ପ ସୁଦୃଢ ଭାବେ ବିକଶିତ ହେବାର ଦୃଷ୍ଟିଗୋଚର ହୁଏ, ନାରୀ-ବିମର୍ଶର ଆଲୋକରେ ଆପଣ ୮୦ର ପୂର୍ବବର୍ତ୍ତୀ
ନାରୀ-ବିଷୟକ କବିତାଗୁଡିକୁ କେଉଁ ରୂପରେ ଦେଖନ୍ତି ?
ଅପର୍ଣ୍ଣା ମହାନ୍ତି : ୧୯୮୦ ମସିହା ପୂର୍ବର ଓଡିଆ କବିତାରେ ନାରୀ ବିମର୍ଶର ଉପାଦାନ ପ୍ରାୟ
ନଥିଲ। ନାରୀର ଦୁଃଖ ଯାତନା ବଖାଣିବା ନାରୀ ବିମର୍ଶ ନୁହେଁ । ଏଥିପାଇଁ ଏକ ଦୃଢ ପ୍ରତିବାଦ ଓ
ସଂଗ୍ରାମର ସ୍ଵରକୁ ପ୍ରତିଧ୍ଵନିତ କରିବା ହିଁ ବିମର୍ଶର ସୂତ୍ରପାତ କରେ । ୧୯୮୦ ପରେ ହିଁ ଏହି
ସ୍ଵର ଶକ୍ତିଶାଳୀ ହୋଇଛି।
ଦିବ୍ୟ ରଂଜନ ସାହୁ : ଆପଣଙ୍କ କବିତାରେ ପ୍ରେମ, ପରମ୍ପରା ଏବଂ ବିଦ୍ରୋହ ମଧ୍ୟରେ ସାମଞ୍ଜସ୍ୟର ଭାବ
ଦେଖାଯାଏ, ଏ ବିଷୟରେ ଆପଣ କ’ଣ କହିବେ ?
ଅପର୍ଣ୍ଣା ମହାନ୍ତି : ଦେଖନ୍ତୁ, ପ୍ରେମହୀନ ମୁକ୍ତି, ମୁକ୍ତି ନୁହେଁ – ଏହା ଏକ ଦିଶାହରା
ଉନ୍ମାଦ ମାତ୍ର । ପ୍ରେମ ହିଁ ମୁକ୍ତିକୁ ଶୃଙ୍କଳିତ, ଶାଳୀନ ଓ
ଉତ୍ତୀର୍ଣ୍ଣ କରିଥାଏ। ତେଣୁ ମୁକ୍ତିର ପ୍ରଥମ ଓ ଅନ୍ତିମ ପଦକ୍ଷେପ ହେଉଛି ପ୍ରେମ। ପରମ୍ପରାର
ସବୁକିଛି ବର୍ଣ୍ଣନୀୟ ନୁହେଁ । ପରମ୍ପରାର ଯେଉଁ ଦିଗଟି ନାରୀ ବ୍ୟକ୍ତିତ୍ଵର ବିକାଶ ବଦଳରେ
ବିନାଶର ବାର୍ତ୍ତା ଦିଏ ମୋର ପ୍ରେମ ତାର ବିରୋଧରେ ବିଦ୍ରୋହ କରେ । ଯେପରିକି ବିବାହ ଓ ପରିବାର
ଏକ ସୁସ୍ଥ ପରମ୍ପରା । କିନ୍ତୁ ସେହି ଦାୟରେ ‘ସ୍ତ୍ରୀ’ କୁ ‘ଦାସୀ’ ସ୍ଥାନରେ ରଖିବା ଅତ୍ୟନ୍ତ ଘୃଣ୍ୟ ପରମ୍ପରା । ଯେଉଁ ପରମ୍ପରା ନାରୀର ବିକଶିତ
ବ୍ୟକ୍ତିତ୍ଵକୁ ଶ୍ରଦ୍ଧା-ସମ୍ମାନ କରେ ମୁଁ ତାକୁ ଗ୍ରହଣ କରିଥାଏ । ତେଣୁ ମୋ କବିତାରେ ପ୍ରେମ, ପରମ୍ପରା ଓ ବିଦ୍ରୋହ ସବୁକିଛି ନାରୀ ଅସ୍ମିତାର ସଚେତନ ବିକାଶ ପାଇଁ ଅଭିପ୍ରେତ
କହିଲେ ଭୁଲ ହେବ ନାହିଁ ।
ଦିବ୍ୟ ରଂଜନ ସାହୁ : ରଚନାତ୍ମକ ଧରାତଳରେ ଆପଣ କେଉଁ-କେଉଁ କବିଙ୍କ ଦ୍ଵାରା ପ୍ରଭାବିତ ?
ଅପର୍ଣ୍ଣା ମହାନ୍ତି : ମୁଁ ମୋ ଓଡିଆ କାବ୍ୟ ଜଗତର ବରେଣ୍ୟ କବି ଜୟଦେବ, ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଭିମନ୍ୟୁ ସାମନ୍ତସିଂହାର, ମାୟାଧର ମାନସିଂହ ତଥା ହିନ୍ଦୀ କବି ମହାଦେବୀ ବର୍ମା ଓ ଅମୃତା ପ୍ରୀତମଙ୍କ ଦ୍ଵାରା
ପ୍ରଭାବିତ ହୋଇଛି।
ଦିବ୍ୟ ରଂଜନ ସାହୁ : ଆପଣଙ୍କ ଦୃଷ୍ଟରେ କ’ଣ ବିଚାରଧାରା କବିତାର ଭାବ-ପକ୍ଷକୁ ଦୁର୍ବଳ କରେ ?
ଅପର୍ଣ୍ଣା ମହାନ୍ତି : ନା, ବିଚାରଧାରା କବିତାର ଭାବ-ପକ୍ଷକୁ ଦୁର୍ବଳ କରେନାହିଁ । ବରଂ ଉନ୍ନତ ସଶକ୍ତ ମାନବୀୟ
ବିଚାର ହିଁ କବିତାର ଭାବକୁ ଅଧିକ ସରଳ, ସ୍ପଷ୍ଟ, ସୁନ୍ଦର ଓ ସାବଲୀଳ କରିଥାଏ ।
ଦିବ୍ୟ ରଂଜନ ସାହୁ : ଆପଣଙ୍କ ଅଧିକାଂଶ କବିତାରେ ନାରୀ-ପ୍ରତିରୋଧର ସ୍ଵର ମୁଖର ଭାବରେ
ଦେଖାଦିଏ, ବାସ୍ତବତା
(ବ୍ୟାବହାରିକ) ଦୃଷ୍ଟିରୁ ଦେଖିବାକୁ ଗଲେ କ’ଣ ଆପଣଙ୍କୁ ଲାଗେ କି
ସାମାଜିକ ପରିବର୍ତ୍ତନ ଦିଗରେ ଏ କବିତା ଗୁଡିକର ସତରେ କୌଣସି ମହତ୍ଵପୂର୍ଣ୍ଣ ଭୂମିକା ରହୁଛି ?
ଅପର୍ଣ୍ଣା ମହାନ୍ତି : ମୋ କବିତାର ପ୍ରତିବାଦର ସ୍ଵର ସମାଜରେ କି ପରିବର୍ତ୍ତନ ଆଣିବ କି ନାହିଁ ସେ କଥା ମୁଁ
କେବେ ଭାବି ନାହିଁ । କିନ୍ତୁ ମୋ କବିତା କିଛି ପାଠିକାଙ୍କୁ ଜୀବନ ସହିତ ଲଢିବାକୁ ପ୍ରେରଣା
ଦେଇଛି ଓ ସେମାନେ ଆତ୍ମହତ୍ୟା କରିବା ପରି ଚରମ ନିଷ୍ପତିରୁ ଓହରିଆସି ଜୀବନକୁ ନିଜ ଅନୁଯାୟୀ
ବଞ୍ଚିଛନ୍ତି ବୋଲି ମୋତେ ଜଣାଇଛନ୍ତି । ତାହା ମୋ କବିତାର ଶକ୍ତି ବୋଲି ମୋର ମାନେ ହୋଇଛି। ମୋ
ପାଇଁ ସନ୍ତୋଷର କଥା ଯେ ଏବେ ଓଡିଆରେ ନିଜକୁ ନେଇ ଖୁବ ମୁକ୍ତ-ମୁଖର ହେଉଥିବା ମୋ ଝିଅ ବଯସର
ଲେଖିକାମାନେ ଯେତେବେଳେ ମୋ କବିତାରୁ ସାହସ ପାଇଛନ୍ତି ବୋଲି କୁହନ୍ତି ସେତେବେଳେ ନିଜର କବିପଣକୁ
ନେଇ ମତେ ଖୁବ ସାର୍ଥକ ଲାଗେ।
ଦିବ୍ୟ ରଂଜନ ସାହୁ : କ’ଣ ଆପଣଙ୍କ ଦୃଷ୍ଟିରେ ନାରୀ-ବିମର୍ଶ, ସ୍ତ୍ରୀ-ବିମର୍ଶ ଏବଂ ମହିଳା ବିମର୍ଶ ପରି ଶବ୍ଦାବଳୀ ଗୁଡିକରେ ବିଭେଦ ଅଛି ?
ଅପର୍ଣ୍ଣା ମହାନ୍ତି : ନାରୀ, ସ୍ତ୍ରୀ ଓ ମହିଳା ଏହି ତିନୋଟି ଶବ୍ଦ ଭିତରେ ଖୁବ ସୂକ୍ଷ୍ମ ବିଭାଜନ ରେଖା ଲକ୍ଷ
କରାଯାଇପାରେ । ‘ନାରୀ’ ଶବ୍ଦ ଜଗତର ସବୁ
ବର୍ଗର ନାରୀ ଜାତିକୁ ବୁଝାଉଥିବାବେଳେ ‘ସ୍ତ୍ରୀ’ ପୁରୁଷର ଶାସନାଧିନା ପତ୍ନୀକୁ ବୁଝାଏ ବା ପରିବାରବାଦ ଭିତରେ ଶୃଙ୍ଖଳିତା ନାରୀକୁ
ପରିଭାଷିତ କରେ। ‘ମହିଳା’ କହିଲେ ଆମେ
ତଥାକଥିତ ସମ୍ଭ୍ରାନ୍ତ ବର୍ଗର ନାରୀମାନଙ୍କୁ କଳ୍ପନା କରୁ ଯେଉଁମାନେ ଏକ ପିତୃପ୍ରଧାନ ସମାଜର
ପଦ-ପ୍ରତିଷ୍ଠାକୁ ଅଳଙ୍କାର ଭାବରେ ବହନ କରୁଥାନ୍ତି । ଏ ସମସ୍ତଙ୍କର ସାମାଜିକ ଓ ବ୍ୟକ୍ତିଗତ ଦୃଷ୍ଟିକୋଣ
ନିଶ୍ଚୟ ଅଲଗା-ଅଲଗ ହେବ, ଯେପରିକି ନିମ୍ନ ବର୍ଗର ନାରୀମାନେ
ତୁଳନାତ୍ମକ ଭାବେ ସ୍ଵାବଲମ୍ବୀ ଓ ସ୍ଵାଧୀନଚେତା ହୋଇଥିବାବେଳେ ଉଚ୍ଚ ବର୍ଗର ନାରୀମାନେ
ସମାଜବ୍ୟବସ୍ଥାକୁ କ୍ଵଚିତ ବିରୋଧ କରିଥାନ୍ତି, କାରଣ ପ୍ରଚଳିତ
ସମାଜବ୍ୟବସ୍ଥା ସେମାନଙ୍କୁ ଏକ ଛଦ୍ମ ଅଳଙ୍କାରର ସ୍ଵାମିନୀ କରାଇଥାଏ । ଏ ସବୁ ଦୃଷ୍ଟିରୁ ବିଚାରକଲେ
ନାରୀ-ବିମର୍ଶରେ ବହୁବିଧ ଦିଗ ରହିବା ସ୍ଵାଭାବିକ ।
ଦିବ୍ୟ ରଂଜନ ସାହୁ : ସମକାଳୀନ ସାହିତ୍ୟରେ ନାରୀକୁ ପରିଭାଷିତ କରିବା କ୍ରମରେ ଦଳିତ ନାରୀ
ଏବଂ ଆଦିବାସୀ ନାରୀ ଭଳି ଅନେକ ବିଭାଜକ ରେଖାମାନ ଟଣା ଯିବାର ଦୃଷ୍ଟିଗୋଚର ହେଉଛି । କ’ଣ ଆପଣଙ୍କୁ ଲାଗେ ନାହିଁ ଯେ ଏ ସବୁର ବିଭାଜନ
କୌଣସି ବର୍ଗ, ଧର୍ମ ଅଥବା ସମ୍ପ୍ରଦାୟ ସହ ନ ଯୋଡି ନାରୀକୁ କେବଳ ନାରୀ
ରୂପରେ ଦେଖିବା ଦରକାର, ଏ ବିଷୟରେ ଆପଣଙ୍କର ମତ କ’ଣ ?
ଅପର୍ଣ୍ଣା ମହାନ୍ତି : ସମ୍ଭ୍ରାନ୍ତ ଶ୍ରେଣୀର ନାରୀମାନଙ୍କ ଅପେକ୍ଷା ଦଳିତ ଓ ଆଦିବାସୀ
ଶ୍ରେଣୀମାନଙ୍କର ସମସ୍ୟା କିଛି ଅଲଗା । ଦାଦନ, ବିସ୍ଥାପନ ଆଦି ସମସ୍ୟାକୁ ଏମାନେ ଅଧିକ ମାତ୍ରାରେ ଭୋଗିଥାନ୍ତି ।
ତଥାକଥିତ ସଭ୍ୟ ସମାଜର ମଣିଷମାନେ ଏମାନଙ୍କୁ ବ୍ୟବହାରଯୋଗ୍ୟ ବସ୍ତୁ ଭାବେ ବିବେଚନା କରିଥାନ୍ତି।
ଦଳିତ ନାରୀକୁ ସାଧାରଣ ଦଳିତ ବର୍ଗର ସାମାଜିକ ଶୋଷଣ ସହିତ ଉଚ୍ଚ ବର୍ଗର ଯୌନ ଶୋଷଣ ମଧ୍ୟ
ସହିବାକୁ ହୁଏ । ଆଦିବାସୀ ନାରୀମାନେ ଆପାତତଃ ସାମାଜିକ ସ୍ଵାଧିନତାର ଅଧିକାରିଣୀ ହୋଇଥିଲେ ହେଁ
ସଭ୍ୟ ସମାଜର ଛଳନା ଦ୍ଵାରା ପ୍ରତାରିତ ଓ ଲୁଣ୍ଠିତ ହୋଇଥାନ୍ତି । ତେଣୁ ଏ ସବୁ ଦିଗ ପ୍ରତି
ସ୍ଵତନ୍ତ୍ର ଦୃଷ୍ଟିକୋଣ ରଖିବା ମଧ୍ୟ ନାରୀ ବିମର୍ଶର ଏକ ଅଂଶବିଶେଷ ।
ଦିବ୍ୟ ରଂଜନ ସାହୁ : ଆପଣ ବିମ୍ବ ଏବଂ ପ୍ରତୀକ ଗୁଡିକୁ କବିତାରେ କେତେ ମହତ୍ଵ ଦିଅନ୍ତି
?
ଅପର୍ଣ୍ଣା ମହାନ୍ତି : ମୋ କବିତାରେ ବିମ୍ବ ଓ ପ୍ରତୀକ ଆଦିକୁ ମୁଁ ସଚେତନ ଭାବେ ପ୍ରୟୋଗ
କରେନାହିଁ । ଭାବନାର ପ୍ରବାହରେ ସେ ସବୁ ଆପେ-ଆପେ ଯେତିକି ଭାସି ଆସିଛନ୍ତି… ବାସ ସେତିକି ।
ଦିବ୍ୟ ରଂଜନ ସାହୁ : ଆପଣଙ୍କ ଦୃଷ୍ଟିରେ ଉଗ୍ର-ନାରୀବାଦ କ’ଣ ?
ଅପର୍ଣ୍ଣା ମହାନ୍ତି : ଯେକୌଣସି ଦର୍ଶନ କି ବାଦରେ ଉଗ୍ରତା କେବେ ବି ସୁ-ପରିବର୍ତ୍ତନର
ବାହକ ହୋଇ ନଥାଏ । ପୁରୁଷ ସହିତ ସ୍ପର୍ଦ୍ଧା କରି ପୁରୁଷ ପରି ଯାବତୀୟ ବିଶୃଙ୍ଖଳିତ ଆଚରଣ
ପ୍ରଦର୍ଶନ କରିବାକୁ ଯଦି ଉଗ୍ର ନାରୀବାଦ କୁହାଯାଏ, ତେବେ ମୁଁ ଏହାର ପକ୍ଷପାତୀ ନୁହେଁ । ନାରୀ ଅସ୍ମିତାର ସ୍ଵାତନ୍ତ୍ର୍ୟକୁ
ପ୍ରତିଷ୍ଠା କରିବା ପାଇଁ ସମାଜବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ,
ସଂଗ୍ରାମ କରିବାକୁ, ହଁ… ମୁଁ ନାରୀବାଦ ବୋଲି
ମାନେ କରେ।
ଦିବ୍ୟ ରଂଜନ ସାହୁ : ଜଗତୀକରଣ, ବଜାରବାଦ, ଉତ୍ତର-ଆଧୁନିକତା ଏବଂ ଉଦାରୀକରଣ
ଭଳି ସଂକଳ୍ପ ଗୁଡିକ ୧୯୯୦ ପରର ନାରୀ କବିତାକୁ କିପରି ଭାବରେ ପ୍ରଭାବିତ କରିଛି ?
ଅପର୍ଣ୍ଣା ମହାନ୍ତି : ଜଗତୀକରଣ, ଉଦାରୀକରଣ, ବଜାର-ସଭ୍ୟତା ଓ ଉତ୍ତର-ଆଧୁନିକତା ଆଜିର
କବିତାକୁ ନିଶ୍ଚୟ ପ୍ରଭାବିତ କରୁଛି । ନାରୀ ଦେହକୁ ଏହି ବ୍ୟବସ୍ଥା ପଣ୍ୟ ଓ ବସ୍ତୁ ଭାବରେ
ଯେତିକି ବ୍ୟବହାର କରୁଛି, ଅପରପକ୍ଷେ ନାରୀ ମଧ୍ୟ ନିଜର ଦେହକୁ ବସ୍ତୁ
ଭାବେ ବ୍ୟବହାର କରି, ନିଜର ଉଚ୍ଚାଭିଳାଷକୁ ସଫଳ କରେଇବାକୁ ଆଗ୍ରହୀ
ହେଉଛି । ଏ ବ୍ୟବସ୍ଥାରେ ମାନବୀୟ ମୂଲ୍ୟବୋଧ, ବ୍ୟକ୍ତିର ଆତ୍ମସମ୍ମାନ
ସହିତ ନାରୀର ଅସ୍ମିତା ମଧ୍ୟ ବିଡମ୍ବିତ ହେଉଛି। ନାରୀବାଦ ଓ ନାରୀ-ମୁକ୍ତିର ଧାରଣା ମଧ୍ୟ
ବଜାର-ସର୍ବସ୍ଵ ହୋଇପଡୁଛି । ପରିଚୟ : ଅପର୍ଣ୍ଣା ମହାନ୍ତି
ବରିଷ୍ଠ ନାରୀ କବି ଅପର୍ଣ୍ଣା
ମହାନ୍ତି ଓଡିଆ ନାରୀ ବିମର୍ଶମୂଳକ କବିତାର ଅନ୍ୟତମ ସଫଳ ଲେଖିକା । କବିତା ସମେତ ଅନୁବାଦ, ପ୍ରବନ୍ଧ ତଥା ଆଲୋଚନା କ୍ଷେତ୍ରରେ ତାଙ୍କର
ଉପସ୍ଥିତି ଉଲ୍ଲେଖନୀୟ । ସେ ୨୦୦୭ ମସିହାରେ ଓଡିଆ ସାହିତ୍ୟର ମର୍ଯ୍ୟାଦାଯୁକ୍ତ ସମ୍ମାନ ‘ଓଡିଆ ସାହିତ୍ୟ ଏକାଡେମୀ’ ପୁରସ୍କାର (ତାଙ୍କର କବିତା ସଂକଳନ
‘ଝିଅ ପାଇଁ ଝର୍କାଟିଏ’) ଦ୍ଵାରା ସମ୍ମାନିତ
।
ଉପସ୍ଥାପନା : ଦିବ୍ୟ ରଞ୍ଜନ ସାହୁ
ଇ.ମେଲ – dibyosahu25@gmail.com
Comments
Post a Comment