ମୋହଭଙ୍ଗୀୟ ଜୀବନାନୁଭଵ ଓ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ବଳ : ଅମୃତ ଫଳ
ମୋହଭଙ୍ଗୀୟ ଜୀବନାନୁଭଵ ଓ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ବଳ : ଅମୃତ ଫଳ
-----------------------------------------------------------------------------
ଅମୃତ ଫଳ, ମନୋଜ ଦାସ (Manoj Das), ବିଦ୍ୟାପୁରୀ, କଟକ, ସଂ- ୨୦୧୬, ମୂଲ୍ୟ - ୧୪୦/-
-----------------------------------------------------------------------------
ଅମୃତ ଫଳ, ମନୋଜ ଦାସ (Manoj Das), ବିଦ୍ୟାପୁରୀ, କଟକ, ସଂ- ୨୦୧୬, ମୂଲ୍ୟ - ୧୪୦/-
ପ୍ରତିଷ୍ଠିତ 'ସରସ୍ବତୀ ସମ୍ମାନ' (୨୦୦୦) ଦ୍ବାରା ପୁରସ୍କୃତ ପ୍ରଖ୍ୟାତ କଥାକାର ମନୋଜ ଦାସଙ୍କ ଉପନ୍ୟାସ 'ଅମୃତ ଫଳ' ସମସାମୟିକ ଜୀବନର ମୋହଭଙ୍ଗକୁ ଐତିହାସିକତାର ଦୃଷ୍ଟିରେ ଦେଖିବାର ଅନୁଭବ କରିଛି। ଉପନ୍ୟାସର କଥାବସ୍ତୁ ଫ୍ଲାସବ୍ୟାକ ରୀତିରେ ସମ୍ପନ୍ନ ହୋଇଥିଲେ ମଧ୍ୟ ସମାନ୍ତରାଳ ଶୈଳୀ, ବାର୍ତ୍ତାଳାପ ଶୈଳୀ, ପତ୍ରାତ୍ମକ ଆଦି ଶୈଳୀ ସହ ଘଟଣାବଳୀ ଗୁଡ଼ିକର ନାଟକୀୟ ବିନ୍ୟାସ ଏବଂ ଉତ୍କଣ୍ଠାପୂର୍ଣ୍ଣ ସର୍ଜନାତ୍ମକ ଦକ୍ଷତା ପାଠକଙ୍କୁ ସ୍ଵତଃ ଆକୃଷ୍ଟ କରିବାରେ ସମ୍ପୁର୍ଣ୍ଣ ସମର୍ଥ ବୋଲି ମନେହୁଏ। କହିବାକୁ ଗଲେ ଆଧ୍ୟାତ୍ମିକ ଚେତନାର ଉତ୍ସକୁ ବସ୍ତୁବାଦୀ ଜୀବନର ଆଶା ଏବଂ ଆକାଂକ୍ଷା ସହ ନିଷ୍କ୍ରିୟ କରିଦେବାର ପ୍ରକୃତିରୁ ଏ ମହାଗାଥା ନୈରାଶ୍ୟ ଭାବକୁ ବିରୋଧ କରେ।
ଯେଉଁ ପ୍ରକାଶ୍ୟ/ଅପ୍ରକାଶ୍ୟ ଆଶା ଓ ଆକାଂକ୍ଷାର ପ୍ରତୀକ ରୂପରେ ଔପନ୍ୟାସିକ 'ଅମୃତ ଫଳ'କୁ ନେଇଛନ୍ତି, ତାହା ବାସ୍ତବିକ ଜୀବନର ଅନୁଭବରୁ ଜାତ। ଦୁଇ ହଜାର ବର୍ଷ ତଳର ଚଣ୍ଡମୁନି, ମାଳବିକା ଆଦି ଗୌଣ ଚରିତ୍ରଙ୍କ ପ୍ରତୀକାତ୍ମକ ପ୍ରୟୋଗ ମଧ୍ୟରେ ରାଜା ଭର୍ତ୍ତୃହରିଙ୍କ ଜୀବନ ଓ ମୃତ୍ୟୁ ଜିଜ୍ଞାସାର ଉତ୍ତରଣ ବଳ ସ୍ଵତଃ ସଂଚରିତ ହୁଏ ଏକବିଂଶ ଶତାବ୍ଦୀରେ, ନାୟକ ଅମରନାଥ ଏବଂ କନ୍ୟା ମନୀଷାଙ୍କ ଚରିତ୍ରରେ। ପ୍ରକାରାନ୍ତେ ଭର୍ତ୍ତୃହରି କାହାଣୀର ପାଣ୍ଡୁଲିପି ଲେଖୁଥିବା ଅମରନାଥଙ୍କ ଜୀବନର ଆଶା ଏବଂ ଆକାଂକ୍ଷାର ଦଗ୍ଧିଭୂତ ରୂପ ହେଉଛି 'ଅମୃତ ଫଳ'।
ଚେତନ, ଅବଚେତନ ଏବଂ ଅଚେତନ ମନର ଫଳଶ୍ରୁତି ରୂପରେ ଏ ଉପନ୍ୟାସ କୁହୁକତାର ସଂସାରରେ ଗତି କରୁଛି। ଦୁଇ ହଜାର ବର୍ଷ ତଳର ଅଲୌକିକତା, ତାନ୍ତ୍ରିକତା ଓ ମନୋବୈଜ୍ଞାନିକ ନକାରାତ୍ମକ ପ୍ରବୃତ୍ତି ସବୁର ଅଜ୍ଞାନତା ସମାନ୍ତର ଭାବେ ବର୍ତ୍ତମାନର ସାମାଜିକ ଜୀବନରେ ପରିବ୍ୟାପ୍ତ ; ଏହା ହିଁ ଉପନ୍ୟାସର ଉପଜୀଵ୍ୟ ବୋଲି ମନେହୁଏ। ଏତତ୍ ବ୍ୟତୀତ ବୌଦ୍ଧ/ଜୈନ ଦର୍ଶନର ଉପାଦେୟତା, ଚିକିତ୍ସା କ୍ଷେତ୍ରରେ ହେଉଥିବା ଅନିୟମିତତା ସହ ତିକ୍ତ/ମଧୁର ସମ୍ପର୍କର ନିଚ୍ଛକ ଅନୁଭୂତିକୁ ସଚେତନ ଭାବେ ପ୍ରକାଶ କରିବାର ଦକ୍ଷତା ହିଁ ଉପନ୍ୟାସର ଅନ୍ୟତମ ବିଶେଷତ୍ୱ ଅଟେ।
ଇତିମଧ୍ୟରେ କଥାକାର ନିଜେ ଘୋଷଣା କରନ୍ତି ଯେ- "ଆଦିମ କାଳରୁ ଅବ୍ୟାହତ, ପୁରୁଷ-ପୁରୁଷ ବ୍ୟାପ୍ତ ମାନବ ଚକ୍ରର କଦବା ପ୍ରକାଶ୍ୟ, କଦବା ଅପ୍ରକାଶ୍ୟ ଆଶା ଆକାଂକ୍ଷାର ପ୍ରତୀକ ଏ ଅମୃତ ଫଳ।"(ପୃ-୨୦୧)
Comments
Post a Comment