ଋଢ଼ିବାଦୀ ପରମ୍ପରା ବିରୁଦ୍ଧରେ ଘନୀଭୂତ ପ୍ରେମ ଓ ଅନ୍ତଃର୍ବ୍ୟଥାର ପ୍ରଶ୍ନିଳ କାହାଣୀ : ବୈଶ୍ରବଣୀ (ସୂର୍ପଣଖାର ସୁପ୍ତ ଇସ୍ତାହାର)
ଋଢ଼ିବାଦୀ ପରମ୍ପରା ବିରୁଦ୍ଧରେ ଘନୀଭୂତ ପ୍ରେମ ଓ ଅନ୍ତଃର୍ବ୍ୟଥାର ପ୍ରଶ୍ନିଳ କାହାଣୀ : ବୈଶ୍ରବଣୀ
------------------------------------------------------------------------------------------------
ବୈଶ୍ରବଣୀ, ମମତାମୟୀ ଚୌଧୁରୀ (Mamatamayee Choudhuri), ନବଦିଗନ୍ତ, କଟକ, ସଂ-୨୦୦୯, ମୂଲ୍ୟ- ୬୫/-
------------------------------------------------------------------------------------------------
ବୈଶ୍ରବଣୀ, ମମତାମୟୀ ଚୌଧୁରୀ (Mamatamayee Choudhuri), ନବଦିଗନ୍ତ, କଟକ, ସଂ-୨୦୦୯, ମୂଲ୍ୟ- ୬୫/-
ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଦ୍ଵାରା ପୁରସ୍କୃତ ଚର୍ଚ୍ଚିତ ଲେଖିକା ମମତାମୟୀ ଚୌଧୁରୀଙ୍କ ଉପନ୍ୟାସ 'ବୈଶ୍ରବଣୀ' ବାମାବାଦୀ ବିଚାରଧାରା ମାଧ୍ୟମରେ ମିଥକୀୟ ସଂସ୍କୃତିକୁ ତାର୍କିକ ସଫଳତା ଦେବାରେ ସମର୍ଥ ହୋଇପାରିଛି। ଆର୍ଯ୍ୟ ଏବଂ ରକ୍ଷ ସଂସ୍କୃତିର ସଂଘର୍ଷମୂଳକ, ଏତେ ବିସ୍ତୃତ ଆଖ୍ୟାୟିକାକୁ ପରିଚୟାତ୍ମକ ରୂପ ଦେଲାବେଳେ ତାଙ୍କୁ ନିଶ୍ଚିତ ଭାବରେ କଠିନ ଶ୍ରମ କରିବାକୁ ପଡ଼ିଥିବ : ଏଥିରେ ଦ୍ବିମତ ନାହିଁ। ରାମାୟଣର ଏକ ଗୌଣ ଚରିତ୍ର 'ସୂର୍ପଣଖା'ର ଉଦ୍ଦାତ୍ତ ଚରିତ୍ରକୁ ବ୍ୟାଖ୍ୟା କରୁଥିବା ଏ ମହାଗାଥା ଋଢ଼ିବାଦୀ ପରମ୍ପରା ବିରୁଦ୍ଧରେ ଜଣେ ସାଧାରଣ ନାରୀର ଅନ୍ତଃର୍ବ୍ୟଥାତ୍ମକ ପ୍ରଶ୍ନିଳ ଅଭିବ୍ୟକ୍ତିକୁ ଜୀବନ୍ତ କାହାଣୀରେ ରୂପାୟିତ କରିଛି।
ଆତ୍ମକଥନ ଶୈଳୀରେ ରଚିତ ଏହାର କଥାବସ୍ତୁ ବିସ୍ତୃତ ଭାବେ ସୂର୍ପଣଖାର ଆଖପାଖରେ ହିଁ ରହୁଛି। ସମାଜରେ ପ୍ରଚଳିତ ରକ୍ଷ ସଂସ୍କୃତିକୁ ଦେଖୁଥିବା ସାଧାରଣ ମଣିଷର ବିଚାର ଦୃଷ୍ଟିର ଢ଼େର ଉର୍ଦ୍ଧ୍ବରେ ଡ଼. ଚୌଧୁରୀଙ୍କ ପ୍ରତି ସୂକ୍ଷ୍ମତାର ନିଷ୍କୃତି ; ବେଶ ପ୍ରସଂଶନୀୟ। ସୂର୍ପଣଖାର ଚରିତ୍ର ନିର୍ମାଣ କଲାବେଳେ ସେ ଜଣେ ସାଧାରଣ ନାରୀର ସୁଖ, ସ୍ବାଚ୍ଛନ୍ଦ, ଅସହାୟତା ଆଦି ଏବଂ ପ୍ରକୃତି ସହ ସମ୍ବନ୍ଧ ସ୍ଥାପନର ନିବିଡ଼ତାକୁ ଗ୍ରହଣ କରିଛନ୍ତି। ଆରମ୍ଭରୁ ହିଁ ଲେଖିକାଙ୍କର ବାମାବାଦୀ ଦୃଷ୍ଟି ସ୍ପଷ୍ଟ ପ୍ରତୟମାନ ହୁଏ, ଯେତେବେଳେ ସୂର୍ପଣଖା ତା'ର ପ୍ରେମୀ ବିଦ୍ୟୁଜିହ୍ବକୁ ପ୍ରଶ୍ନ କରେ - "ପୁରୁଷ ଯଦି ଏକାଧିକ ପତ୍ନୀ ଗ୍ରହଣ କରୁଛି ତେବେ ନାରୀଟିଏ ଦ୍ବିତୀୟ ପତିବରଣ କରିବାରେ ଆପତ୍ତି କାହିଁକି ?" (ପୃ- ୪୨)
ଏମିତି ଅନେକଗୁଡ଼ିଏ ସମସାମୟିକ ଯଥାର୍ଥ ପ୍ରଶ୍ନ ନେଇ ଲେଖିକା ପୁରୁଷତାନ୍ତ୍ରିକ ପରମ୍ପରାକୁ ଘେରିଛନ୍ତି ରାମଚନ୍ଦ୍ରଙ୍କ ଚରିତ୍ର ମାଧ୍ୟମରେ। କେବଳ ଏତିକି ନୁହେଁ ଉପନ୍ୟାସରେ ସୂର୍ପଣଖା ଅନେକ ସ୍ଥଳରେ ରାମଙ୍କ ପୁରୁଷୋତ୍ତମ ଚରିତ୍ରକୁ ଯୁକ୍ତିଯୁକ୍ତ ସହ ଅସ୍ବୀକାର କରିଛି। ଯେପରି ସେ ରାମଙ୍କ ଉଦ୍ଦେଶ୍ୟରେ କହିଛି -"କି ପ୍ରକାର ମାନବ ତୁମେ ରାମ। କିଏ ତୁମକୁ କହେ ପୁରୁଷୋତ୍ତମ ! ତୁମକୁ ପୁରୁଷ ବୋଲି ତ ଦୂରର କଥା, ସଜୀବ ପ୍ରାଣୀଟିଏ କହିବାକୁ ବି ମୁଁ କୁଣ୍ଠାବୋଧ କରେ। ପ୍ରଣୟ ଭିକ୍ଷା କରିବାକୁ ଆସିଥିବା ଯୁବତୀର ନାସା କର୍ଣ୍ଣ ଛେଦ କରିବା ବୀରତ୍ବର ପରିଚୟ ନୁହେଁ।" (ପୃ-୧୦୫)
ଏ ପ୍ରକାର... ଅନେକ ଶକ୍ତ ବିରୋଧ ସତ୍ବେ ପରମୁହୂର୍ତ୍ତରେ ରାମଙ୍କୁ ଈଶ୍ବର ଜ୍ଞାନ କରିବା, ଏକ ପ୍ରକାରେ ବିରୋଧାଭାଷୀ ତତ୍ତ୍ବ ଦିଗକୁ ଇଙ୍ଗିତ କରୁଛି। ଭାରତୀୟ ନାରିବାଦୀ ପରମ୍ପରାର ପ୍ରଭାବ ଏ ଉପନ୍ୟାସରେ ସ୍ପଷ୍ଟ ପ୍ରଭାବ ବିସ୍ତାର କରିଛି ବୋଲି କହିଲେ ଅନୁଚିତ ହେବ ନାହିଁ। କରୁଣ ପ୍ରେମର ଆଦ୍ରତା ଭିତରେ ପରୋକ୍ଷରେ ଉପନ୍ୟାସ ସ୍ତ୍ରୀ-ପୁରୁଷ ସମାନତାର କଥା କୁହେ। ବିଦ୍ୟୁଜିହ୍ବର ଭାଷାରେ -"ନାରୀର ମନରେ ସେଇଭଳି ପୁରୁଷ ପାଇଁ ସ୍ଥାନ ସଂରକ୍ଷିତ ଥାଏ, ଯାହାକୁ ସେ ନିଜର ସମାସ୍କନ୍ଧ ବୋଲି ମନେକରେ।" (ପୃ-୧୩୫) ଏତେ ସବୁ ସତ୍ବେ ଉପନ୍ୟାସ ନିଜକୁ ସ୍ଵୟଂ ସଂପୂର୍ଣ୍ଣ କରେ... ଅନ୍ତିମ ସମୟରେ ଯତେବେଳେ ବିଦ୍ୟୁଜିହ୍ବ ସୂର୍ପଣଖାକୁ କୁହେ - "ନିଜକୁ ଚିହ୍ନ ବୈଶ୍ରବଣୀ ! ପରଖ । ଥରେ ବୁଝ, ଜାଗତିକ ଜଞ୍ଜାଳ ଭିତରେ ବିଦ୍ରୋହ, ସନ୍ଧି, ପ୍ରେମ ଓ ପ୍ରତ୍ୟାଖ୍ୟାନ ଆଦି କେତେ ମୂଲ୍ୟହୀନ !!" (ପୃ-୧୩୫)
ଚମତ୍କାର ଭାଷା ପ୍ରୟୋଗ ସାଙ୍ଗକୁ କରୁଣ ମନର ରସସିକ୍ତ ବିଭୋରପଣ ଏ ଉପନ୍ୟାସର ଅନ୍ୟତମ ବୈଦୁର୍ଯ୍ୟ ।
Comments
Post a Comment