ସେ ଆତ୍ମହତ୍ୟା କରିଦେଲା
ସେ ଆତ୍ମହତ୍ୟା କରିଦେଲା
ଗୋଟିଏ ଜୀବନ ଥିଲା
ସେ ହସୁଥିଲା...
ଆତ୍ମହତ୍ୟା କରିଦେଲା
ସେ ଜାଣିଥିଲା ଏ ଜୀବନଟା ଇଶ୍ଵରଙ୍କର
ସେ ଜାଣିଥିଲା ତା ପାଖରେ ଅନେକ ଶକ୍ତି ଅଛି
ସେ ଜାଣିଥିଲା ଇଶ୍ଵର ବିଶ୍ଵାସଘାତକ ନୁହଁନ୍ତି
ହେଲେ ସେ ଆତ୍ମହତ୍ୟା କରିଦେଲା (୧)
ତାକୁ କୁହାଯାଇଥିଲା
ତା'ର ମୂଲ୍ୟ ଅନେକ ବୋଲି
ସେ ସାରା ଜୀବନ ସଂଘର୍ଷ କରୁଥିଲା
ପଶା ଖେଳ ପୂର୍ବରୁ ପାଞ୍ଜି ଦେଖୁ ନଥିଲା,
ଆତ୍ମସ୍ଵାଭିମାନର ରକ୍ତ-ମାଂସ-ହାଡ଼ ସବୁକୁ ବାଜିରେ ଲଗେଇଦେଉଥିଲା,
ସେ ଗରୀବ ନଥିଲା,
ସେ ଆତ୍ମହତ୍ୟା କରିଦେଲା। (୨)
ତାକୁ ଜଣାଇ ଦିଆଯାଇଥିଲା
ସବୁ ଭୋଗ୍ୟ ବସ୍ତୁ କେବଳ ତା'ର,
ମା-ବାପା-ଭାଇ-ଭଉଣୀ, ଅନ୍ତରର ମିତ୍ର
ସମସ୍ତଙ୍କ ଉପରେ କେବଳ ତା'ରି ଅଧିକାର ଅଛି,
ଏମିତିକି ଜନ୍ମ-ଜୀବନ ଆଉ ମରଣ ଉପରେ ବି...
ସେ ବିବ୍ରତ ନଥିଲା
ସେ ଆତ୍ମହତ୍ୟା କରିଦେଲା (୩)
ମୁକ୍ତିର ବାଟ ତାକୁ ଜଣା ଥିଲା
ସେ ଜ୍ଞାନୀ ଥିଲା
ସେ ବୁଦ୍ଧିମାନ ଥିଲା
ସେ ଈଶ୍ଵରଙ୍କ ବରଦାନ ଥିଲା
ସେ ଦୁର୍ବଳ କିମ୍ବା ଦୁଖୀ ବି ନଥିଲା
କିନ୍ତୁ ସେ ଡରକୁଳା ଥିଲା
ସେ ଆତ୍ମହତ୍ୟା କରିଦେଲା । (୪)
ମୃତ୍ୟୁ ଉପରେ ତା'ର ଅଧିକାର ଥିଲା
ସେ ବୁଝିସାରିଥିଲା ତାକୁ ଧୋକା ଦିଆଯାଇଛି
ଅଧିକାର ସବୁ କେବଳ ପ୍ରୋପଗଣ୍ଡା ଥିଲା
ଦୁର୍ବଳତା କେବଳ ଏତିକି,
ପ୍ରତିରୋଧ କରିବାକୁ ତା ପାଖରେ ଭାଷା ନଥିଲା
ସେ ଜାଣିସାରିଥିଲା ତା'ର ମୃତ୍ୟୁ ସୁନିଶ୍ଚିତ ବୋଲି
ସେ ଆତ୍ମହତ୍ୟା କରିଦେଲା । (୫)
ଆତ୍ମହତ୍ୟା ପୂର୍ବରୁ ସେ ଶେଷ ଚିଠି ଲେଖିଥିଲା
ପ୍ରିୟ, ମାନବ ସମାଜ ପାଖକୁ
ପ୍ରିୟ, ଦାନବ ସମାଜ ପାଖକୁ
ପ୍ରିୟ, ଗନ୍ଧର୍ବ ସମାଜ ପାଖକୁ
କିନ୍ତୁ, କାହିଁକି କେଜାଣି ସେ ସ୍ଵର୍ଗକୁ ଚିଠି ଲେଖି ନଥିଲା
ସେ ଆତ୍ମହତ୍ୟା କରିଦେଲା । (୬)
@ଦିବ୍ୟ ରଞ୍ଜନ ସାହୁ ସେ ଆତ୍ମହତ୍ୟା କରିଦେଲା
Comments
Post a Comment